
ଖୋର୍ଦ୍ଧା02 ଜୁଲାଇ (ହି.ସ.),ଦୈନନ୍ଦିନ କାଳିଆ ସାଆନ୍ତଙ୍କ କଥା ଜନ ମାନସରେ ବିଭିନ୍ନ ମାଧ୍ୟମରେ ପ୍ରଚାର ଓ ପ୍ରସାର ହେଉଥିବା ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କର ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ମହାପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟାଧିକାରୀ ନାହାନ୍ତି। ତେଣୁ ମନ୍ଦିରର କୌଣସି ସମସ୍ୟା ସୃଷ୍ଟି ହେଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଠାକୁର। ଏପରିକି ଲିଙ୍ଗରାଜ ମହାପ୍ରଭୁ ଅନେକ ସମୟରେ ଉପବାସରେ ରହୁଛନ୍ତି।ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ପୋଲିସମାନେ ଡ୍ୟୁଟି କରୁଛନ୍ତି ହେଲେ ସେମାନେ ସୁରକ୍ଷିତ ନୁହଁନ୍ତି। ସେମାନଙ୍କର ସ୍ଵତନ୍ତ୍ର ଅଫିସ୍ ଗୃହ ନଥିବାରୁ ଖରା,ବର୍ଷା, କାକର, ମଶା ଡାଉଁଶରେ ଦିନ ବିତାଉଛନ୍ତି। ମହାପ୍ରଭୁଙ୍କର ସୂଚନା କେନ୍ଦ୍ର ନଥିବାରୁ ଭକ୍ତମାନେ କୌଣସି ନୀତି ନିୟମର ସଠିକ୍ ସୁଚନା ପାଉନାହାନ୍ତି। ଲୋକଙ୍କ ମନରେ ଭକ୍ତିଭାବ ଜାଗ୍ରତ କରାଉଥିବା ଜଣାଣ ଭଜନ ଦୀର୍ଘ ଦିନ ଧରି ମନ୍ଦିରରେ ଆଉ ବାଜୁ ନାହିଁ । ଅନେକ ମନ୍ଦିରରୁ ପାଣି ଗଳୁଛି।ରୋଷଘର ପାଖରେ ଥିବା ନୃସିଂହଙ୍କ ମନ୍ଦିରରେ ଯେଉଁ ଟିଣ ଛପର ଥିଲା ସେଥିରୁ ପାଣି ଗଳୁଛି।ଆସନ୍ତା ଅଗଷ୍ଟ ୩ ତାରିଖରୁ ବୋଲବମ୍ ଶ୍ରଦ୍ଧାଳୁଙ୍କ ଭିଡ ଜମିବ।ଭଜନ ମଣ୍ଡପ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା କାଉଡ଼ିଆ ସେଥିରେ ବିଶ୍ରାମ ନେଉଥିଲେ। ବର୍ତ୍ତମାନ ମନ୍ଦିର ପାଖରେ ସେପରି ସ୍ଥାୟୀ ବିଶ୍ରାମ ଗୃହ ନାହିଁ। ଲିଙ୍ଗରାଜ ମନ୍ଦିରରେ ଥିବା ୪୨ଟି ସି ସି କ୍ୟାମେରା ରୁ ୩୨ ଟି ଅଚଳ।ରୋଷଘର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଲିଙ୍ଗରାଜ ମନ୍ଦିର ଚଟାଣରେ ଯେଉଁ ଧଳା ରଙ୍ଗ ଦିଆଯାଇଥିଲା, ବର୍ତ୍ତମାନ ବର୍ଷା ଦ୍ବାରା ଗୋଡ ଖସି ଭକ୍ତ ପଡ଼ି ଆହତ ହେଉଛନ୍ତି।ଲିଙ୍ଗରାଜ ମହାପ୍ରଭୁଙ୍କ ସମସ୍ୟାର ସମାଧାନ ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ବାରମ୍ବାର ଦେବୋତ୍ତର ବିଭାଗର ଦୃଷ୍ଟିକୁ ଆଣୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନାହିଁ।ଏନେଇ ମନ୍ଦିର କାର୍ଯ୍ୟାଳୟ ଏବଂ ହିନ୍ଦୁ ଦେବୋତ୍ତର ବିଭାଗର ସହକାରୀ ହିନ୍ଦୁ ଦେବୋତ୍ତର ଅଧିକାରୀଙ୍କ ସହିତ ଶ୍ରୀ ମିଶ୍ରଙ୍କ ସମେତ ଅଶୋକ କୁମାର ମହାରଣା, ଗିରିଜା ଶଙ୍କର ମହାପାତ୍ର, ପ୍ରଦୀପ କୁମାର ରାୟ, ହୃଷୀକେଶ ବେହେରା, ସୌଦାମିନୀ ସାମଲ, ବିପିନି ବିହାରୀ ରାଉତରାୟ, ସତ୍ୟନାରାୟଣ ମିଶ୍ର ତଥା ଉଲ୍ଲାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ। ସହକାରୀ ହିନ୍ଦୁ ଦେବୋତ୍ତର କମିଶନର ଖୁବଶୀଘ୍ର କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ