
କନ୍ଧମାଳ, ୨୦ ଜୁଲାଇ(ହି.ସ.) – କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ସୋମବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା ସାଧାରଣ ଜନତା ନିଜ ନିଜ ସମସ୍ୟା ଓ ଅଭିଯୋଗ ଲିଖିତ ଆକାରରେ ଦାଖଲ କରିଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ କରି ନିୟମାନୁସାରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜମିଜମା ବିବାଦ, ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଭତା, ଆବାସ ଯୋଜନା ଓ ଅନ୍ୟାନ୍ୟ ଜନସମସ୍ୟା ସମ୍ପର୍କିତ ଅଭିଯୋଗ ଶୁଣାଣୀ ସମୟରେ ଉପସ୍ଥାପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଉପଜିଲ୍ଲାପାଳ, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଶୁଭମ ଭସଲେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ତୁମୁଡିବନ୍ଧ ବିଡିଓ ବନ ବିହାରୀ ହରପାଲ, ତହସିଲଦାର ଦୋଳ ଗୋବିନ୍ଦ ସାହୁ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ସମସ୍ୟା ଶୁଣିଥିଲେ। ସର୍ବମୋଟ ୮୮ ଗୋଟି ବ୍ୟକ୍ତିଗତ ଓ ଗୋଷ୍ଠି ଗତ ଅଭିଯୋଗ ପଞ୍ଜିକରଣ ହେଇଥିବାନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ