
ଭଦ୍ରକ, ୨୦ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଝାରିଡ଼ିଆ ଗ୍ରାମର ଜଣେ ନିଖୋଜ ଯୁବକଙ୍କ ମୃତଦେହ ସୋମବାର ସକାଳେ ବୟାଙ୍ଗଡିହି–ନୂଆଗାଁ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ନାଳରୁ ଉଦ୍ଧାର ହେବା ପରେ ସମଗ୍ର ଅଂଚଳରେ ଶୋକ ଓ ଚାଂଚଲ୍ୟ ଖେଳିଯାଇଛି। ମୃତକ ହେଲେ ଝାରିଡ଼ିଆ ଗ୍ରାମର ରଶ୍ମି ରଞ୍ଜନ ବେହେରା (ପିତା– ପ୍ରଶାନ୍ତ କୁମାର ବେହେରା)। ସେ ଗତ ୧୬ ଜୁଲାଇ ରାତିରୁ ନିଖୋଜ ଥିଲେ। ଦୀର୍ଘ ଚାରି ଦିନ ଧରି ପରିବାର ଲୋକ ଏବଂ ସମ୍ପର୍କୀୟମାନେ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଶେଷରେ ତାଙ୍କ ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପରିବାର ସୂଚନା ଅନୁଯାୟୀ, ରଶ୍ମି ରଞ୍ଜନ ଦୀର୍ଘଦିନ ଧରି ମାନସିକ ଅସୁସ୍ଥତାରେ ପୀଡ଼ିତ ଥିଲେ। ଗତ ୧୬ ଜୁଲାଇ ରାତିରେ ସେ ଘରୁ କାହାକୁ କିଛି ନକହି ବାହାରି ଯାଇଥିଲେ। ରାତି ବିତିଯିବା ପରେ ମଧ୍ୟ ସେ ଘରକୁ ଫେରିନଥିବାରୁ ପରିବାର ଲୋକ ଚିନ୍ତିତ ହୋଇପଡ଼ିଥିଲେ। ପରବର୍ତୀ ସମୟରେ ସମ୍ପର୍କୀୟ, ସାଙ୍ଗସାଥୀ ଓ ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ସୋମବାର ସକାଳେ ବୟାଙ୍ଗଡିହି–ନୂଆଗାଁ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ନାଳରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଧୁଷୁରୀ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଧୁଷୁରୀ ଥାନାର ଭାରପ୍ରାପ୍ତ ଅଧିକାରିଣୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଅଂଚଳକୁ ଘେରାଉ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ପରେ ଭଣ୍ଡାରୀପୋଖରୀ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନାଳରୁ ମୃତଦେହକୁ ଉଦ୍ଧାର କରି ପୋଲିସଙ୍କୁ ହସ୍ତାନ୍ତର କରିଥିଲେ। ଘଟଣାସ୍ଥଳରେ ପହଂଚିଥିବା ପରିବାର ସଦସ୍ୟମାନେ ମୃତଦେହକୁ ରଶ୍ମି ରଞ୍ଜନ ବେହେରାଙ୍କ ବୋଲି ଚିହ୍ନଟ କରିଥିଲେ। ମୃତଦେହ ଚିହ୍ନଟ ହେବା ପରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀମାନେ ମଧ୍ୟ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ବର୍ତମାନ ଧୁଷୁରୀ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ପରିବାରର କହିବା ଅନୁଯାୟୀ ମୃତକ ମାନସିକ ଅସୁସ୍ଥତାରେ ପୀଡ଼ିତ ଥିବାରୁ ତଦନ୍ତରେ ସେହି ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଘଟଣାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ଚାଲିଥିବା ବେଳେ ପୋଲିସ କହିଛି ଯେ, ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତର ଅଗ୍ରଗତି ଆଧାରରେ ଘଟଣାର ସମସ୍ତ ତଥ୍ୟ ସ୍ପଷ୍ଟ ହେବ। ତଦନ୍ତ ଶେଷ ହେବା ପୂର୍ବରୁ ଘଟଣାର କାରଣ ସମ୍ପର୍କରେ କୌଣସି ନିଷ୍କର୍ଷରେ ନ ପହଂଚିବାକୁ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ