
କଟକ, ୨୦ ଜୁଲାଇ (ହି.ସ.)- କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର କୁସୁନପୁର ଛକରେ ସୋମବାର ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ କୁ ଧକ୍କା ଦେଇଛି ଏକ ମାଛ ବୋଝେଇ କଂଟେନର । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ଅଟକିଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା ପଛପଟୁ କଟକ ଆଡୁ ଆସୁଥିବା ଏକ ମାଛ ବୋଝେଇ କଂଟେନର । ଧକ୍କା ଏତେ ଜୋରରେ ଥିଲା ଯେ କଂଟେନରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଫସିଥିବା ଲୋକଙ୍କୁ ବାହାର କରିଥିଲେ । ତେବେ ସେତେବେଳକୁ କଂଟେନରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିସାରିଥିଲା ।
ଦୁର୍ଘଟଣାରେ ଗୁରୁତର ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଖବର ପାଇ ନିଶ୍ଚିନ୍ତକୋଇଲି ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ କଟକ-ଚାନ୍ଦବାଲି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ କ୍ଷତିଗ୍ରସ୍ତ ଯାନବାହନକୁ ହଟାଯାଇ ଯାତାୟାତ ସ୍ୱାଭାବିକ୍ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ