ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଝାରସୁଗୁଡ଼ାରେ ଗଣଧାରଣା, ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦାବି
Protest by students union
Protest by students


ଝାରସୁଗୁଡ଼ା, ୨୦ ଜୁଲାଇ (ହି.ସ.): ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ଧାରଣାସ୍ଥଳରୁ ପୋଲିସ ପକ୍ଷରୁ ହଟାଯାଇଥିବା ଘଟଣାର ପ୍ରତିବାଦରେ ସୋମବାର ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା।

ଆନ୍ଦୋଳନକାରୀମାନେ କହିଥିଲେ ଯେ, ଦେଶର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଗୁଣାତ୍ମକ ସଂସ୍କାରର ଆବଶ୍ୟକତା ରହିଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ଭଳି ସ୍ପର୍ଶକାତର ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।

ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଛାତ୍ର ସଂଗଠନ ପକ୍ଷରୁ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ସଭାପତି ଅସିମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରିୟ ଧୁରୁଆ, ଉପସଭାପତି ରବି ରୋହିଦାସ, ସାଧାରଣ ସମ୍ପାଦକ ସମ୍ବିତ ନାଏକ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶିବାଶିଷ ପଟ୍ଟନାୟକଙ୍କ ସମେତ ପ୍ରଭାକର ଓରାମ, ରବୀନ୍ଦ୍ର ସୋହଲା, ଚିନ୍ତାମଣି ସାମନ୍ତରା ଓ ବହୁ ଛାତ୍ର ଏବଂ ଆଦିବାସୀ ନେତା ଉପସ୍ଥିତ ରହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande