
ଚମ୍ପୁଆ, ୨୧ ଜୁଲାଇ(ହି.ସ.) – ଶିକ୍ଷା ହିଁ ଜାତିର ମେରୁଦଣ୍ଡ ଏବଂ ବିଦ୍ୟାଳୟ ହେଉଛି ଶିଶୁଙ୍କ ଭବିଷ୍ୟତ ଗଢ଼ିବାର ମନ୍ଦିର। ମାତ୍ର କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଳକରେ ଏହି ପବିତ୍ର ଉକ୍ତି ଏବେ କେବଳ ପୁସ୍ତକୀୟ ଭାଷାରେ ସୀମିତ ହୋଇ ରହିଯାଇଥିବା ପରି ମନେ ହେଉଛି। ବ୍ଳକର ଅଧିକାଂଶ ସରକାରୀ ବିଦ୍ୟାଳୟରେ ସରକାରୀ ନିୟମ, ନିର୍ଦ୍ଧାରିତ ସମୟସୀମା ଏବଂ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଏବଂ ଅଭିଯୋଗ ଅନୁଯାୟୀ , ଚମ୍ପୁଆ ବ୍ଳକର ବିଭିନ୍ନ ବିଦ୍ୟାଳୟ ନିର୍ଦ୍ଧାରିତ ସମୟରେ ଖୋଲୁନାହିଁ କି ବନ୍ଦ ମଧ୍ୟ ନିୟମ ଅନୁସାରେ ହେଉନାହିଁ। ଅଧିକାଂଶ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସମୟାନୁବର୍ତୀ ହୋଇ ବିଦ୍ୟାଳୟରେ ପହଂଚୁ ନାହାନ୍ତି। ନିଜର ମନମୁଖୀ ଇଚ୍ଛା ଅନୁସାରେ ଆସିବା ଏବଂ ଚାଲିଯିବା ଯୋଗୁଁ ବିଦ୍ୟାଳୟର ପାଠପଢ଼ା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇଯାଇଛି। ସରକାରୀ ବିଦ୍ୟାଳୟ ଗୁଡ଼ିକରେ ମୁଖ୍ୟତଃ ଗ୍ରାମାଂଚଳ ଏବଂ ସାଧାରଣ ଗରିବ ପରିବାରର ପିଲାମାନେ ପାଠ ପଢ଼ିଥାନ୍ତି। ମାତ୍ର କିଛି ଦାୟିତ୍ୱହୀନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଏପରି ଅବହେଳା ମନୋଭାବ ପ୍ରମାଣ କରୁଛି ଯେ, ଗରିବଙ୍କ ପିଲାଙ୍କ ଶିକ୍ଷା ପ୍ରତି ସେମାନଙ୍କର ଆଦୌ ଦରଦ ନାହିଁ। ଶିକ୍ଷକମାନଙ୍କ ଏଭଳି ବେପରୁଆ କାର୍ଯ୍ୟକଳାପ ଯୋଗୁଁ ନିରୀହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କ୍ରମଶଃ ଅନ୍ଧକାର ଆଡ଼କୁ ଗତି କରୁଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ବ୍ୟାପକ ଅନିୟମିତତା ବିରୋଧରେ ସଚେତନ ମହଲ ପକ୍ଷରୁ ଗ୍ରହଣ କରାଯାଇଛି କଠୋର ପଦକ୍ଷେପ। ଏ ସମ୍ପର୍କରେ ଚମ୍ପୁଆ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଏବିଇଓ ନରେନ୍ଦ୍ର କୁମାର ନାଏକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଳକର ସମସ୍ତ ବିଦ୍ୟାଳୟରେ ଶିକ୍ଷକମାନେ କିପରି ସମୟାନୁବର୍ତୀ ହେବେ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ଦାବି କରାଯାଇଛି।
ଏହି ସନ୍ଦର୍ଭରେ ଏବିଇଓ ନରେନ୍ଦ୍ର କୁମାର ନାଏକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯଥାଶୀଘ୍ର ସମସ୍ତ ବିଦ୍ୟାଳୟକୁ ନୋଟିସ୍ ଜାରି କରାଯିବ ଏବଂ ସିଆର୍ସିମାନେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଉପସ୍ଥାନ ଉପରେ କଡ଼ା ନଜର ରଖିବେ। ନିୟମ ଖିଲାପ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏବିଇଓଙ୍କ ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ରହିବ, ନା ପ୍ରକୃତରେ ଏହାର ପ୍ରଭାବ ଦେଖିବାକୁ ମିଳିବ, ତାହା ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ମୋଟା ଦରମା ନେଇ ମଧ୍ୟ ନିଜ କର୍ତବ୍ୟରୁ ବିମୁଖ ହେଉଥିବା ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଶାସନ କେବେ ଏବଂ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta