
କେନ୍ଦୁଝର, ୨୧ ଜୁଲାଇ(ହି.ସ.) – କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବାଜିମାତ କରିଛନ୍ତି। ସମସ୍ତ ୧୪ ଗୋଟି ସିଟରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିପୁଳ ବିଜୟୀ ହୋଇଛନ୍ତି। ଜିଲ୍ଲା ଯୋଜନା ବୋର୍ଡରେ ସଦସ୍ୟ ନିମନ୍ତେ ନାମାଙ୍କନ ପରେ ଜୁଲାଇ ୮ତାରିଖରେ ଯାଂଚହୋଇ ପ୍ରଥମ ଦଫାରେ ବିଜେଡିର ସମସ୍ତ ୭ ଜଣ ସାଧାରଣ ବର୍ଗର ପ୍ରାର୍ଥୀ ଯେପରିକି ୨ନମ୍ବର ଜୋନର ସଦସ୍ୟ ଜିତେନ୍ଦ୍ର ସାମଲ, ୫ନମ୍ବର ଜୋନ ସଦସ୍ୟ ରଥ ମୁଣ୍ଡା, ୯ନମ୍ବର ଜୋନ ସଦସ୍ୟ ସୁରେନ୍ଦ୍ର ଜେନା, ୨୦ ନମ୍ବର ଜୋନର କେଦାର ଚନ୍ଦ୍ର ପ୍ରଧାନ, ୨୬ ନମ୍ବର ଜୋନର ଶଶୀକାନ୍ତ ଖିଲାର, ୨୯ ନମ୍ବର ଜୋନର ସଦସ୍ୟ ବୁଦ୍ଧଦେବ ମହାକୁଡ଼ ଏବଂ ୩୭ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ପ୍ରମୁଖ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିଲେ। ଜୁଲାଇ ୨୧ତାରିଖ ମଙ୍ଗଳବାର ଦିନ ମହିଳା ବର୍ଗର ୭ ଗୋଟି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ପରାଜିତ ହୋଇଥିବାବେଳେ ବିଜେଡିର କୌଶଲ୍ୟା ସେଠୀ, କ୍ଷୀରୋଦିନୀ ମହାକୁଡ଼, ମଧୁସ୍ମିତା ଦାସ , ମଇନ ସୋରେନ, ରମଣୀ ନାୟକ, ରୁନୁ ମହାନ୍ତ, ଏବଂ ଶାନ୍ତିଲତା ରଣା ବିଜେଡିର ୭ ଜଣ ପ୍ରାର୍ଥୀନୀ ବିଜୟୀ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପରିଷଦର ୩୭ ଗୋଟି ଜୋନ ରହିଛି। ସେଥି ମଧ୍ୟରୁ ସଦର ବ୍ଲକର ୪ ନମ୍ବର ଜୋନ ସଦସ୍ୟା ଲୀଳାବତୀ ମହାନ୍ତ ଏବଂ ପାଟଣା ବ୍ଲକର ଜୋନ ନମ୍ବର ୨୧ ର ସଦସ୍ୟ ପ୍ରଫୁଲ୍ଲ ନାୟକଙ୍କର ମୃତ୍ୟୁ ଯୋଗୁଁ ପଦବୀ ଖାଲି ରହିଛି। ଅନ୍ୟପକ୍ଷରେ ଘଟଗାଁ ବ୍ଲକ ୮ନମ୍ବର ଜୋନର ସଦସ୍ୟା ରଞ୍ଜିତ ନାୟକ ତାଙ୍କ ପଦବୀରୁ ଇସ୍ଥଫା ଦେଇଛନ୍ତି। ତେଣୁ ବର୍ତମାନ ୩୪ଜଣ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ରହିଛନ୍ତି। ଜିଲ୍ଲା ଯୋଜନା ବୋର୍ଡରେ ବିଜେଡିର ସମସ୍ତ ୧୪ଗୋଟି ଆସନରେ ବିଜୟୀ ପ୍ରାର୍ଥୀ ମାନଙ୍କୁ ବିଜେଡିର କେନ୍ଦୁଝର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତି, ବିଜେଡି ନେତା ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ବିଜେଡି ନେତ୍ରୀ ତଥା ପୂର୍ବତନ ପୌରାଧକ୍ଷା ମୀନା ମାଝୀ, ବିଜେଡି ନେତା ପୂର୍ଣ୍ଣ ଚନ୍ଦ୍ର ସାହୁ, ବିଜେଡି ଆଇଟି ସେଲର ଜଗଦୀଶ ଆପଟ୍ଟଙ୍କ ସମେତ ବହୁ ବିଜେଡି ନେତା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଯାଇ ଶୁଭେଚ୍ଛା ଜଣାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA