
ସମ୍ବଲପୁର, ୨୧ ଜୁଲାଇ (ହି.ସ.)-
ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ନକଲି କଫ୍ ସିରପ ଓ ଦେଶୀ ମଦ ବିକ୍ରି ବିରୋଧରେ ଚଢ଼ଉ କରି ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ବୁର୍ଲା ଥାନାରେ ୩୨୦/୨୬ ଏକ ମାମଲା ରୁଜୁ ହୋଇଛି ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ସାଢ଼େ ୮ଟା ବେଳେ ଏଏସ୍ଆଇ ପି. ଖାଲ୍କୋ ଓ ତାଙ୍କ ଟିମ୍ ବୁର୍ଲା ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ସ୍ପୋର୍ଟ୍ସ କ୍ଲବ ନିକଟ ଫୁଟବଲ ପଡ଼ିଆ ପାଖରେ ଜଣେ ବ୍ୟକ୍ତି ନକଲି କଫ୍ ସିରପ ଓ ଦେଶୀ ମଦ ବିକ୍ରି କରୁଥିବା ନେଇ ସୂଚନା ମିଳିଥିଲା । ପୋଲିସ ଅଚାନକ ସେଠାରେ ଚଢ଼ଉ କରି ବୁର୍ଲା ଅଟାଚକି ପଡ଼ାର
୩୫ ବର୍ଷିୟ ବିରାଜ ରାଜକୁ ଧରିଥିଲେ। ତଲାସୀ ବେଳେ ଅଭିଯୁକ୍ତ ନିକଟରୁ ପ୍ରାୟ ୭୫୦ ମିଲି ନକଲି କଫ୍ ସିରପ ଥିବା ଏକ ଲିଟର କ୍ଷମତାର ପ୍ଲାଷ୍ଟିକ ବୋତଲ, ୨୩ଟି ସିଲ୍ ହୋଇଥିବା ଓ୍ବେନସିରେକ୍ସ କଫ୍ ସିରପ ବୋତଲ, ୩ଟି ଖୋଲା ବୋତଲ, ୨ଟି ଖାଲି ବୋତଲ, ନାଇଟ୍ରାଜେପାମ ଟାବଲେଟର ଏକ ଷ୍ଟ୍ରିପ୍ (୬ଟି ଟାବଲେଟ), ୨୦ଟି ‘ଡକ୍ ଛାପ’ ଦେଶୀ ମଦ ପାଉଚ୍ ଏବଂ ଏକ ପ୍ଲାଷ୍ଟିକ ବ୍ୟାଗ୍ ପୋଲିସ ଜବତ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ