
ଭୁବନେଶ୍ୱର, 21 ଜୁଲାଇ (ହି.ସ.) ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କଟକ ସ୍ଥିତ ଶିଶୁ ଭବନ ପରିଦର୍ଶନ କରି ସେଠାରେ ଚାଲୁଥିବା ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ସେ ଚିକିତ୍ସା ସେବା ଓ ଭିତ୍ତିଭୂମିର ଉନ୍ନତି ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ମନ୍ତ୍ରୀ ବିଶେଷ କରି ଶିଶୁମାନଙ୍କ ପାଇଁ ଆଇସିୟୁ ଏବଂ ଜରୁରୀକାଳୀନ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ହସ୍ପିଟାଲର ସମଗ୍ର ପରିକଳ୍ପନାରେ ପରିବର୍ତ୍ତନ ଆଣି ଉନ୍ନତ ସେବା ଦେବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।
ଖୁବ୍ ଶୀଘ୍ର ଶିଶୁ ଭବନରେ ସିଟି ସ୍କାନ୍ ସେବା ଆରମ୍ଭ ହେବାକୁ ଯାଉଥିବାବେଳେ, ଅଗ୍ନିନିରାପତ୍ତା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ନେଇ ଆଲୋଚନା ହୋଇଛି।
ଚିକିତ୍ସାଧୀନ ଶିଶୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହସ୍ପିଟାଲର ବେଡ୍ ସଂଖ୍ୟା ୮୪୬ କୁ ବୃଦ୍ଧି କରାଯାଇଛି। ସେଥିପାଇଁ ଆବଶ୍ୟକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।
ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଶିଶୁମାନଙ୍କୁ ଆଗାମୀ ଦିନରେ ଆହୁରି ସୁଗମ ଓ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ