
ଝାରସୁଗୁଡ଼ା, ୨୧ ଜୁଲାଇ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥିତ ଡି.ଏମ୍.ଏଫ୍. ସମ୍ମିଳନୀ କକ୍ଷରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ଭୋଟର ତାଲିକା ନିରୀକ୍ଷକ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଉପସ୍ଥିତ ରହି ସମସ୍ତ ନିର୍ବାଚନୀ ପ୍ରକ୍ରିୟା ଓ ବ୍ୟବସ୍ଥାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିସହ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ଯଥା, ଭାରତୀୟ ଜନତା ପାର୍ଟିର ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଏବଂ ଜିଲ୍ଲା ସଭାପତି, ଭାରତୀୟ ଜାତୀୟ କଂଗ୍ରେସ, ବିଜୁ ଜନତା ଦଳ, ବହୁଜନ ସମାଜ ପାର୍ଟି, କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧିମାନେ ଉପସ୍ଥିତ ରହି ଭୋଟର ତାଲିକା ସମ୍ବନ୍ଧୀୟ ଆଲୋଚନାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଶ୍ଲୋକ ସରନା, ବିଜେପି ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ସନ୍ତୋଷ କୁମାର ଯାଦବ, ବିଜେପି ନେତା ଲକ୍ଷ୍ମୀକାନ୍ତ ପାତ୍ର, ବିଜେପି ନେତା ପ୍ରେମସେନ ରାୟ, ସି.ପି.ଆଇ. ରୁ ବାସୁଦେବ ଶର୍ମା, ବି.ଏସ.ପି. ରୁ ଲକ୍ଷ୍ମଣ ବର୍ମା, ସି.ପି.ଆଇ. (ଏମ୍) ରୁ ଗୌରୀଶଙ୍କର ପାତ୍ର, ଜିଲ୍ଲା କଂଗ୍ରେସ କମିଟିରୁ ମନୀଷ ବାଜପେୟୀ ଏବଂ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପବନ ସିଂହ ଯାଦବ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଏହି ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ଭୋଟର ତାଲିକା ନିରୀକ୍ଷକ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଥିଲେ ଯେ, ଗଣତନ୍ତ୍ରର ମୂଳଦୁଆକୁ ଅଧିକ ମଜବୁତ କରିବା ପାଇଁ ଏକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ଅତ୍ୟନ୍ତ ଆବଶ୍ୟକ। ଜିଲ୍ଲାର କୌଣସି ବି ଯୋଗ୍ୟ ଭୋଟର ଯେପରି ନିଜର ମତାଧିକାରରୁ ବଞ୍ଚିତ ନହୁଅନ୍ତି, ତାହା ସୁନିଶ୍ଚିତ କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ଏହି ବୈଠକରେ ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଦାବି ଓ ଆପତ୍ତି ରିପୋର୍ଟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୁଥ୍ ସ୍ତରୀୟ ସହାୟତା, ବୁଥ୍ ଚିହ୍ନଟ ପ୍ରକ୍ରିୟା ଏବଂ ନୂତନ ଭୋଟର ପଞ୍ଜୀକରଣ କାର୍ଯ୍ୟକୁ ଅଧିକ ସୁଗମ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ସମୀକ୍ଷା ହୋଇଥିଲା। ଏତଦ୍ ବ୍ଯତୀତ, ଭୋଟର ତାଲିକାରେ ବାସସ୍ଥାନ ପରିବର୍ତ୍ତନ, ବିବାହ କାରଣରୁ ନାମ ସ୍ଥାନାନ୍ତର କିମ୍ବା ବାଦ୍ ପଡ଼ିବା ଏବଂ ନାମ ସଂଶୋଧନ ସମ୍ପର୍କିତ ବିଭିନ୍ନ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ବିଡିଓ ଏବଂ ସମ୍ପୃକ୍ତ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାରର ପକ୍ଷପାତିତା ନରଖି ସମ୍ପୂର୍ଣ୍ଣ ନିରପେକ୍ଷତା, ସ୍ୱଚ୍ଛତା ଓ ଗ୍ରହଣୀୟତା ଅବଲମ୍ବନ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ଲଲିତ କୁମାର ସୋରେନ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ଇ.ଆର୍.ଓ. (୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ), ସବ୍ୟସାଚୀ ପଣ୍ଡା, ଉପ-ଜିଲ୍ଲାପାଳ, ଝାରସୁଗୁଡ଼ା ତଥା ଇ.ଆର୍.ଓ. (୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ), ଲୋପାମୁଦ୍ରା କାଲୋ, ଡେପୁଟି କଲେକ୍ଟର (ନିର୍ବାଚନ), ରୀତାକାନ୍ତି ବଳିଆରସିଂହ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, କୃଷ୍ଣାକେଶୀ ବଳିଆରସିଂହ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ନୋଡାଲ ଅଫିସର ନିର୍ବାଚନ (ମିଡିଆ), ଝାରସୁଗୁଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ଶେଷରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସମସ୍ତ ଅଧିକାରୀ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏକ ତ୍ରୁଟିମୁକ୍ତ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରକାଶନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ