
ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ଚାଷର ଠିକ୍ ରୁଆ ପୋତା ସମୟରେ ଚାଷୀମାନଙ୍କୁ ସାର ନମିଳିବା ଯୋଗୁଁ ଚାଷୀକୂଳର ସାଂଘାତିକ କ୍ଷତି ହେଉଛି। ଏଭଳି ଏକ ଗୁରୁତର ସମସ୍ୟା ନେଇ ଓଡ଼ିଶା କୃଷକ ଜନତା କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ସେଲ୍ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି। ସେ କହିଥିଲେ ଯେ,ସରକାର ଏବଂ ସୋସାଇଟି, ମନ୍ତ୍ରୀ, କଳାବଜାରୀ ଓ ଅଫିସରମାନଙ୍କ ମଧୁ ଚନ୍ଦ୍ରିକାରେ ଚାଷ ଓ ଚାଷୀଙ୍କ ଅବସ୍ଥା ବିପର୍ଯ୍ୟସ୍ତ। ସାର ପାଇଁ ବରଗଡ଼, ନୟାଗଡ଼, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା ସମେତ ପ୍ରାୟ ସବୁ ଜିଲ୍ଲାର ଚାଷୀ ରାତିଅନିଦ୍ରା ହୋଇ ଲାଇନ ଲଗାଉଥିଲେ ବି ସାର ମିଳୁନାହିଁ। ଏ ସରକାର ଚାଷୀର ଦୁଃଖ ଦୁର୍ଦ୍ଦଶାର ମୁଖ୍ୟ ନାୟକ।
ୟୁରିଆ ଦର ୫୦କେଜି ବସ୍ତା ପିଛା ୨୬୬ ଟଙ୍କା ଥିବାବେଳେ, ତାହା ଚାଷୀ ୫ଶହରୁ ୬ ଶହ ଟଙ୍କାରେ କିଣୁଛି। ଯେଉଁ ଗ୍ରୋମର ସାର ୫୦ କେଜି ବସ୍ତା ପିଛା ୨୦୨୫ରେ ୧୨୦୦ ଟଙ୍କା ରହିଥିଲା, ଏବର୍ଷ ଦର ୨୧୦୦ରେ ପହଞ୍ଚି ଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଚାଷୀ ୨୭୦୦ରୁ ୨୮୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି। ୨୦୧୬ ମସିହାରେ ପ୍ରତି ଏକର ଚାଷଜମିରେ ୟୁରିଆ ୨ ବସ୍ତା, ଗ୍ରୋମର ୨ ବସ୍ତା ପିଛା ପ୍ରାୟ ୩୧୫୫ ଟଙ୍କା ଖର୍ଚ୍ଚ ହେଉଥିଲା। ବର୍ତମାନ ୨୦୨୬ରେ ଚାଷୀ ପକେଟରୁ ୭୦୦୦ ଟଙ୍କା ଖର୍ଚ୍ଚ ହେଉଛି। ପୁଣି ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ୫୦କେଜି ସାର ବସ୍ତା ପାଇଁ ଟଙ୍କା ନେଉଛନ୍ତି, ହେଲେ କଳାବଜାରରେ ବସ୍ତା ୪୫କେଜି ଓଜନର ମିଳୁଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।
ଓଜେସି କୃଷକ ସେଲ୍ ତରଫରୁ ଦାବି କରାଯାଇଛି ଯେ ସରକାର ନିୟମରେ ପରିବର୍ତନ କରନ୍ତୁ; ସାର ନେବା ପାଇଁ ସୋସାଇଟିରେ ଜଣେ ମେମ୍ବର ହୋଇଥିବା ଏବଂ ଲୋନି ହୋଇଥିବା ଆବଶ୍ୟକ। ସବୁ ମଣ୍ଡି ଓ ପ୍ୟାକ୍ସ/ଲାମ୍ପସ୍ ରେ ସାର ଆବଶ୍ୟକ ପରିମାଣରେ ମହଜୁଦ ରଖାଯାଉ।କଳାବଜାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ।ଗ୍ରୋମର ସାର ଦରରେ ବସ୍ତା ପିଛା ଯେଉଁ ୧ ହଜାର ଟଙ୍କା ବୃଦ୍ଧି କରିଛନ୍ତି ତାହା ଚାଷୀମାନଙ୍କୁ ସବସିଡିରେ ଦିଆଯାଉ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଜେସିର ଉପସଭାପତି ନଜିବୁର ରେହମାନ ଖାନ୍, ଓଜେସି ପ୍ରତିଷ୍ଠାତା ସଦସ୍ୟ ତଥା କୃଷକ ନେତା ଦୁର୍ଗା ଚରଣ ବାରିକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା