
ବଲାଙ୍ଗିର, ୨୧ ଜୁଲାଇ (ହି.ସ.) ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସଦସ୍ୟତା ଶୁଭାରମ୍ଭ ଓ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଂଗଠନକୁ ଗାଁ ସ୍ତରରେ ଅଧିକ ସୁଦୃଢ଼ କରିବା, ନୂତନ ସଦସ୍ୟ ସଂଗ୍ରହ ଏବଂ ଜନସାଧାରଣଙ୍କ ସମସ୍ୟାକୁ ନେଇ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ ଜିଲ୍ଲା ସଭାପତି ରୂପେଶ ବେହେରା । ଏହି ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ନରେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନ ବିସ୍ତାର, ତୃଣମୂଳ ସ୍ତରରେ ଦଳର ଭିତିଭୂମି ମଜବୁତ କରିବା ଏବଂ ଆଗାମୀ ଦିନରେ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଜୋରଦାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବଲାଙ୍ଗିର ଜିଲ୍ଲା ସଂଯୋଜକ ଚିତର ବେହେରା, ରାଜ୍ୟ ସମ୍ପାଦକ ବିକାଶ ବେହେରା ମଧ୍ୟ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ଦଳର ନୀତି, ଆଦର୍ଶ ଓ ସଂଗଠନକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଂଚାଇବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମୀ, ସମର୍ଥକ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ସଦସ୍ୟତା ଗ୍ରହଣ କରିଥିଲେ । ଶେଷରେ ସଂଗଠନକୁ ବଙ୍ଗୋମୁଣ୍ଡା ବ୍ଲକରେ ଆହୁରି ସୁଦୃଢ଼ କରିବା ଦିଗରେ ସମସ୍ତେ ସଂକଳ୍ପ ନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ