ଚର୍ଚ୍ଚ ଦାନ ବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ: ଦୁଇ ଅଭିଯୁକ୍ତ ଗିରଫ, କଟର ଓ ନଗଦ ଟଙ୍କା ଜବତ
Two arrested for church theft
Two arrested


ଝାରସୁଗୁଡ଼ା, ୨୧ ଜୁଲାଇ (ହି.ସ.) ଝାରସୁଗୁଡ଼ା ସଦର ଥାନା ଅଂଚଳର କକ୍ସ କଲୋନୀସ୍ଥିତ ସେଂଟ ଆର୍ନୋଲ୍ଡସ୍ କ୍ୟାଥୋଲିକ୍ ଚର୍ଚ୍ଚରେ ଘଟିଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ଝାରସୁଗୁଡ଼ା ପୁଲିସ ସଫଳ ହୋଇଛି। ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ଚୋରିରେ ବ୍ୟବହୃତ ସାମଗ୍ରୀ ଓ ଚୋରି ଟଙ୍କାର କିଛି ଅଂଶ ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୧୪ ଓ ୧୫ ତାରିଖ ମଧ୍ୟରାତ୍ରିରେ ଦୁର୍ବୃତମାନେ ଚର୍ଚ୍ଚର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ଦାନ ବାକ୍ସରୁ ପ୍ରାୟ ୧୨ ହଜାର ଟଙ୍କା ଚୋରି କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସିସିଟିଭି ଫୁଟେଜ୍, ବୈଜ୍ଞାନିକ ପ୍ରମାଣ ଓ ଅନ୍ୟାନ୍ୟ ସୂତ୍ରକୁ ଆଧାର କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ପହଂଚିଥିଲା।

ତଦନ୍ତ ବେଳେ ଅଭିଯୁକ୍ତ ଦୀପକ କୁମାରଙ୍କ ନିକଟରୁ ଚୋରିରେ ବ୍ୟବହୃତ ଏକ ନୀଳ ରଙ୍ଗର ଲୁହା କଟର ଜବତ ହୋଇଥିବାବେଳେ, ଅନ୍ୟ ଅଭିଯୁକ୍ତ ଅମନ ସିଂହଙ୍କ ନିକଟରୁ ଚୋରି ଟଙ୍କା ମଧ୍ୟରୁ ୩ ହଜାର ଟଙ୍କା ଉଦ୍ଧାର କରାଯାଇଛି। ଉଭୟଙ୍କୁ ଗିରଫ କରି ଆଇନ ଅନୁଯାୟୀ ଅଦାଲତରେ ହାଜର କରାଯାଇଛି।

ପୁଲିସ କହିଛି ଯେ, ଅବଶିଷ୍ଟ ଚୋରି ସମ୍ପତି ଉଦ୍ଧାର ସହ ମାମଲାର ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଜିଲ୍ଲାରେ ଧର୍ମୀୟ ଉପାସନା ସ୍ଥଳର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ସଦା ସଜାଗ ରହିଥିବା ମଧ୍ୟ ପୁଲିସ ପକ୍ଷରୁ କୁହାଯାଇଛି।

--------------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande