
ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଜରିମାନା; ଚୋରି ସାମଗ୍ରୀ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇଲା ପୋଲିସ
ଝାରସୁଗୁଡ଼ା, 21 ଜୁଲାଇ (ହି.ସ.) ଚୋରି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଝାରସୁଗୁଡ଼ା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ସିଜେଏମ୍) ସ୍ମୃତି ରଞ୍ଜନ ମହାପାତ୍ର ୬ ବର୍ଷର ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଦଣ୍ଡିତ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ସେଠ୍ ଓ ଅନନ୍ତ ଧୁରୁଆ। ୨୦୨୩ ମସିହା ଜାନୁଆରୀ ୯ ଓ ୧୦ ତାରିଖ ମଧ୍ୟରାତ୍ରିରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ରେମ୍ଜା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରର ତାଲା ଭାଙ୍ଗି ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ ପାସ୍ବୁକ୍, ଏଟିଏମ୍ କାର୍ଡ, ଆଧାର କାର୍ଡ ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଚୋରି କରାଯାଇଥିଲା। ଏନେଇ ବ୍ରଜରାଜନଗର ଥାନାରେ କେସ୍ ନଂ-୧୧/୨୦୨୩ ରୁଜୁ ହୋଇଥିଲା।
ତଦନ୍ତ ସମୟରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ବୟାନ ଆଧାରରେ ଚୋରି ହୋଇଥିବା ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ପରେ ଜବତ ସାମଗ୍ରୀ ଜିମାନାମା ମାଧ୍ୟମରେ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଥିଲା।
ଅଦାଲତରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ସିଜେଏମ୍ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରୀ ଓକିଲ ଅନୁପ କୁମାର ମିଶ୍ର ଓ ପଦ୍ମନାଭ ମାଳୀ ପରିଚାଳନା କରୁଥିଲେ।
ଝାରସୁଗୁଡ଼ା ପୋଲିସ ପକ୍ଷରୁ କୁହାଯାଇଛି ଯେ, ନିଷ୍ଠାପର ତଦନ୍ତ, ସରକାରୀ ଓକିଲଙ୍କ ସଠିକ୍ ଆଇନଗତ ଉପସ୍ଥାପନା ଏବଂ ସାକ୍ଷୀମାନଙ୍କ ସହଯୋଗ ଯୋଗୁଁ ମାମଲାର ସଫଳ ବିଚାର ସ
ମ୍ଭବ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ