
ପୁରୀ , 22 ଜୁଲାଇ (ହି.ସ.) - ହେରାପଞ୍ଚମୀ ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଗତକାଲି ମଙ୍ଗଳବାର ଦିନ ତିନିରଥକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇ ନାକଚଣା ଦ୍ବାର ଠାରେ ଲାଗିଥିଲା । ପରେ ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଳ୍ପ ଟଣା ହେବା ପରେ ପ୍ରବଳ ବର୍ଷା ହେବାରୁ ରଥଟଣା କାର୍ଯ୍ଯ ବନ୍ଦ ରହିଥିଲା । ବୁଧବାର ସକାଳ ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣାଯାଇ ନାକଚଣା ଦ୍ବାର ଠାରେ ଲାଗିଥିଲା । ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ନାକଚଣା ଦ୍ବାର ଠାରେ ଲାଗିବା ପରେ ରଥକୁ ରଥ ନଲାଗିବା ପାଇଁ ବ୍ଯବସ୍ଥା କରାଯାଇଥିଲା । ଶ୍ରୀମନ୍ଦିର କର୍ମଚାରୀ, ପୋଲିସ, ରଥ ଟାଣି ଥିବାବେଳେ ମହାରଣା ସେବକ ଓ ଭୋଇ ସେବକ ସହଯୋଗ କରିଥିଲେ । ଭକ୍ତ ମାନଙ୍କ ହରିବୋଲ, ହୁଳହୁଳି ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ପୋଲିସ ବ୍ଯାରିକେଡ କରି ତିନିରଥର ଚାରିପଟେ ଜଗି ରହିଛନ୍ତି । ଭକ୍ତ ମାନେ ତିନିରଥକୁ ମୁଣ୍ଡିଆ ମାରୁଛନ୍ତି । ଉଜ୍ଜ୍ବଳ ଆଲୋକରେ ଆଲୋକିତ ହୋଇଛି ଶରଧାବାଲି । ଏବେ ତିନିରଥ ନାକଚଣା ଦ୍ବାରରେ ଅପେକ୍ଷାରତ । ଆସନ୍ତାକାଲି ସଂଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ମନ୍ଦିର ଆଡପପଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମହାପୂଣ୍ଯ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶୁକ୍ରବାର ବାହୁଡାଯାତ୍ରାରେ ଶ୍ରୀବିଗ୍ରହ ମାନେ ସିଂହଦ୍ୱାର ଅଭିମୁଖେ ବାହୁଡିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ