
ନୂଆପଡ଼ା,୨୨ ଜୁଲାଇ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଆମ୍ବେଦକର ପଡ଼ାରେ ଥିବା ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବିରେ ଶତାଧିକ ମହିଳା ଆଜି ଏକ ଶୋଭାଯାତ୍ରାରେ ବାହାରି ମଦ ଦୋକାନକୁ ଘେରାଉ କରିଥିଲେ। ମଦ ଦୋକାନ ଯୋଗୁଁ ଅଞ୍ଚଳରେ ସାମାଜିକ ପରିବେଶ ବିଗଡ଼ୁଥିବା ସହ ମହିଳା ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ। ସହରର ଆମ୍ବେଦକର ଛକ ନିକଟରେ ଗୋଟାଏ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟ ରହିଥିବା ବେଳେ ଯାତାୟାତ ବେଳେ ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ମଣୁ ନାହାନ୍ତି। ଏଭଳି ସ୍ଥିତିରେ ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି। ମହିଳା ମାନେ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ସହ ଆବାସିକ ଅଞ୍ଚଳରୁ ମଦ ଦୋକାନ ହଟାଇବାକୁ ସେମାନେ ଦାବି ଉଠାଇଥିଲେ। ମଦ ଦୋକାନକୁ ସ୍ଥାନାନ୍ତର ଦାବିରେ ଗତ ଦିନରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଏହି ସମସ୍ୟା ନେଇ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ମହିଳାମାନେ। ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇ କହିଛନ୍ତି, ଯଦି ଖୁବ ଶୀଘ୍ର ମଦ ଦୋକାନକୁ ସ୍ଥାନାନ୍ତର କରାଯିବ ନାହିଁ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଘଟଣାସ୍ଥଳରେ ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ପୋଲିସ ମୁତୟନ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ