
ଝାରସୁଗୁଡ଼ା, ୨୨ ଜୁଲାଇ (ହି.ସ.) - ଭାରତର ଅମୂଲ୍ୟ ଜ୍ଞାନ ପରମ୍ପରାକୁ ସୁରକ୍ଷିତ ରଖିବା ଏବଂ ପୁରାତନ ହାତଲେଖା ତଥା ପାଣ୍ଡୁଲିପିର ଐତିହ୍ୟକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜ୍ଞାନ ଭାରତମ୍’ ନାମକ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି।
ଏହି ଅଭିଯାନ ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ କିମ୍ବା ଅନ୍ୟାନ୍ୟ ସଂସ୍ଥାରେ ସଂରକ୍ଷିତ ଜ୍ଞାନପଯୋଗୀ ଓ ଶିକ୍ଷାବର୍ଦ୍ଧକ ବିଷୟବସ୍ତୁ ସମ୍ବଳିତ ପୁରାତନ ହାତଲେଖା, ପାଣ୍ଡୁଲିପି, ତାଳପତ୍ର ପୋଥି ଓ ଅନ୍ୟାନ୍ୟ ଐତିହ୍ୟ ସମ୍ପଦକୁ ଚିହ୍ନଟ କରି ସେଗୁଡ଼ିକର ବୈଜ୍ଞାନିକ ସର୍ବେକ୍ଷଣ, ତଥ୍ୟ ସଂରକ୍ଷଣ (ଡକ୍ୟୁମେଣ୍ଟେସନ୍) ଏବଂ ଡିଜିଟାଲାଇଜେସନ୍ କରାଯିବ। ଏହା ସହିତ ଏକ ଜାତୀୟ ଡିଜିଟାଲ ଭଣ୍ଡାର ସୃଷ୍ଟି କରାଯାଇ ଗବେଷଣା, ଶିକ୍ଷା ଓ ସାଧାରଣ ଜନସାଧାରଣଙ୍କ ଉପଯୋଗ ପାଇଁ ଏହି ଅମୂଲ୍ୟ ଜ୍ଞାନଭଣ୍ଡାରକୁ ଉପଲବ୍ଧ କରାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପାଣ୍ଡିତ୍ୟ ଓ ବୈଷୟିକ ଉଦ୍ଭାବନର ସମନ୍ୱୟ ସ୍ଥାପନ କରି ଦେଶର ଐତିହ୍ୟବାହୀ ଜ୍ଞାନ ସମ୍ପଦକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଜିଲ୍ଲାର ସହୃଦୟ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ଗବେଷକ ଏବଂ ସାଧାରଣ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ଯେ, ସେମାନଙ୍କ ନିକଟରେ ଯଦି କୌଣସି ପୁରାତନ ପାଣ୍ଡୁଲିପି, ତାଳପତ୍ର ପୋଥି, ହସ୍ତଲିପି କିମ୍ବା ଏଭଳି ଐତିହ୍ୟବାହୀ ଜ୍ଞାନ ସମ୍ପଦ ସଂରକ୍ଷିତ ଥାଏ, ତେବେ ସେଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ଓ ଡକ୍ୟୁମେଣ୍ଟେସନ୍ ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ। ଏଥିସହିତ, ଏଭଳି ପାଣ୍ଡୁଲିପି, ତାଳପତ୍ର ପୋଥି କିମ୍ବା ପୁରାତନ ହସ୍ତଲିପି ସମ୍ପର୍କରେ ତଥ୍ୟ ଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଜନସାଧାରଣଙ୍କ ସହଯୋଗ ଦ୍ୱାରା ଏହି ଅମୂଲ୍ୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ସମ୍ଭବ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ