କୋଲାବିରାରେ ସାର ସଙ୍କଟ ତୀବ୍ର: ଅନଲାଇନ ବୁକିଂ ବ୍ୟବସ୍ଥାରେ ବଢ଼ିଲା ଚାଷୀଙ୍କ
Fertilizer shortage in Kolabira
କୋଲାବିରାରେ ସାର ସଙ୍କଟ ତୀବ୍ର: ଅନଲାଇନ ବୁକିଂ ବ୍ୟବସ୍ଥାରେ ବଢ଼ିଲା ଚାଷୀଙ୍କ


ଝାରସୁଗଡ଼ାର:୨୨ ଜୁଲାଇ (ହି.ସ.) - ଚାଷ କାମର ଗୁରୁତ୍ୱପୂର୍ଣ୍ଣ ସମୟରେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସାର ଅଭାବ ଚାଷୀଙ୍କ ଚିନ୍ତାକୁ ବଢ଼ାଇଛି। ଆବଶ୍ୟକ ସମୟରେ ସାର ମିଳୁନଥିବା ସହ ଅନଲାଇନ ବୁକିଂ ବ୍ୟବସ୍ଥା ମଧ୍ୟ ଚାଷୀଙ୍କ ପାଇଁ ଅତିରିକ୍ତ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। କୋଲାବିରା ବ୍ଲକରେ ଝିର୍ଲାପାଲି, ସମାସିଂହା, କୋଲାବିରା ଓ ପରମାଣପୁର ସମବାୟ ସମିତି ସହ ୧୬ରୁ ଅଧିକ ଲାଇସେନ୍ସପ୍ରାପ୍ତ ଘରୋଇ ସାର ବିକ୍ରେତା ରହିଛନ୍ତି। ସମବାୟ ସମିତିଗୁଡ଼ିକୁ ବିଳମ୍ବରେ ହେଲେ ମଧ୍ୟ ସାର ଯୋଗାଣ ହେଉଥିବା ବେଳେ, ଘରୋଇ ବିକ୍ରେତାମାନେ ଆବଶ୍ୟକତା ତୁଳନାରେ ଅତ୍ୟନ୍ତ କମ୍ ପରିମାଣରେ ସାର ପାଉଥିବା ସୂଚନା ମିଳିଛି।

ବର୍ତ୍ତମାନ ବ୍ଲକରେ ୧୮-୪୬-୦ (ଡିଏପି) ଓ ୨୮-୨୮-୦ (ଗ୍ରୋମୋର) ସାରର ଘୋର ଅଭାବ ଦେଖାଦେଇଛି। କେତେକ ଅଞ୍ଚଳରେ ୟୁରିଆ ଓ ପଟାସ ସାରର ମଧ୍ୟ ଅଭାବ ଥିବା ଅଭିଯୋଗ ଆସିଛି। ଏପରି ସ୍ଥିତିରେ ଚାଷୀମାନେ ସମୟମତେ ଫସଲରେ ସାର ପ୍ରୟୋଗ କରିପାରୁନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅନ୍ୟପଟେ ଶ୍ରମିକ ଅଭାବ ଓ ସାର ସଙ୍କଟ ମିଶି ଚାଷୀଙ୍କ ଦୁର୍ଦ୍ଦଶାକୁ ଆହୁରି ଗମ୍ଭୀର କରିଛି। ଅନେକ ଚାଷୀଙ୍କ ମତରେ, ଏଭଳି ପରିସ୍ଥିତି ଜାରି ରହିଲେ ଚାଷ କାର୍ଯ୍ୟ ଜାରି ରଖିବା କଷ୍ଟକର ହେବ। ସାର ଅଭାବ ସମୟରେ ଅନଲାଇନ ବୁକିଂ କରି କ୍ୟୁଆର୍ କୋଡ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ହେବାରୁ ଅନେକ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଡିଜିଟାଲ ବ୍ୟବସ୍ଥା ସହ ପରିଚିତ ନଥିବା ଚାଷୀମାନେ ଏହି ପ୍ରକ୍ରିୟାକୁ ଜଟିଳ ବୋଲି କହିଛନ୍ତି। ସରକାରୀ ନିୟମାବଳୀର ଜଟିଳତା ଓ ସାର ଯୋଗାଣର ଅନିଶ୍ଚିତତାକୁ ନେଇ କୋଲାବିରା ବ୍ଲକର ଚାଷୀମହଳରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଥିବା ଦେଖାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande