

ଝାରସୁଗୁଡା, 22 ଜୁଲାଇ (ହି.ସ.) ଝାରସୁଗୁଡା ସହରର ସରବାହାଲ ରୋଡ୍ ସ୍ଥିତ ଭି-ମାର୍ଟ ସପିଂ ମଲ୍ ଏବଂ ସେହି ପରିସରରେ ଥିବା ଶଙ୍କର ଅଳଙ୍କାର ଦୋକାନରେ ବୁଧବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡରେ ସପିଂ ମଲର ତଳ ଓ ଉପର ମହଲାରେ ଥିବା ବହୁ ମୂଲ୍ୟବାନ ସାମଗ୍ରୀ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଭୋର ସମୟରେ ମଲ୍ରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଝାରସୁଗୁଡା ଅଗ୍ନିଶମ ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ବେଦାନ୍ତ ଅଗ୍ନିଶମ ବାହିନୀର ଏକ ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ଉଭୟ ଦଳ ପ୍ରାୟ ତିନି ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ।ଅଗ୍ନିକାଣ୍ଡର ତୀବ୍ରତା ଏତେ ଅଧିକ ଥିଲା ଯେ, ସପିଂ ମଲ୍ର ଦୁଇଟି ମହଲାରେ ରଖାଯାଇଥିବା ପୋଷାକ, ଘରୋଇ ଉପକରଣ ଓ ଅନ୍ୟାନ୍ୟ ବାଣିଜ୍ୟିକ ସାମଗ୍ରୀ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। ନିଆଁର ପ୍ରଭାବରେ ଶଙ୍କର ଅଳଙ୍କାର ଦୋକାନରେ ମଧ୍ୟ କ୍ଷତି ଘଟିଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ବୈଦ୍ୟୁତିକ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ସଠିକ୍ ପରିମାଣ ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ତଦନ୍ତ ରିପୋର୍ଟ ପରେ ସ୍ପଷ୍ଟ ହେବ।
ଏହି ଘଟଣାରେ କୌଣସି ଜନହାନି ଘଟିନଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଥିବାବେଳେ, ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟୀ ମହଲରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ