
ଝାରସୁଗୁଡ଼ା, ୨୨ ଜୁଲାଇ (ହି.ସ.) - ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନକ୍ରମେ ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲା ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଦାଖଲ କରାଯାଇଥିବା ଏହି ଦାବିପତ୍ରରେ ୨୦୦୮ରୁ ୨୦୧୮ ମଧ୍ୟରେ ନିଯୁକ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କୁ ନୂତନ ଅନୁଦାନ ବ୍ୟବସ୍ଥାରେ ପ୍ରାଥମିକତା ଦେବାକୁ ଦାବି କରାଯାଇଛି।
ସଂଘର କହିବା ଅନୁଯାୟୀ, ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା ଲାଗୁ କରିଥିବାରୁ ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଫଳରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ କରିବାରେ ମହାବିଦ୍ୟାଳୟଗୁଡ଼ିକ ଅସମର୍ଥ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା କିସ୍ତିଭିତ୍ତିକ ଆର୍ଥିକ ସହାୟତା ଆବଶ୍ୟକତା ତୁଳନାରେ ଅତ୍ୟନ୍ତ ଅପର୍ଯ୍ୟାପ୍ତ ବୋଲି ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ସଂଯୋଜକ ଖଗେଶ୍ୱର ନାଏକଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ସରକାର ୨୦୦୮-୨୦୧୮ ଅନୁଦାନ ପ୍ରଦାନ ସମ୍ପର୍କରେ ସକାରାତ୍ମକ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଖଣ୍ଡ ସଂଯୋଜକ ତଥା ବ୍ୟବସ୍ଥା ପ୍ରମୁଖ ମମତା ପ୍ରଧାନଙ୍କ ସହ ଲିଲିମା ରଣବିଡା, ସ୍ମିତା ମିଶ୍ର, ମଦନ ବିଶ୍ୱାଳ, ନୈରୁତ ରଥ, କାଲୁଚରଣ ମହାନ୍ତି, ମାନସ ଆଚାର୍ଯ୍ୟ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ