
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଘଟୁଥିବା ସାଂଘାତିକ ତୃଟି ବିରୁଦ୍ଧରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୋଲିସର ଅମାନବୀୟ ଦମନଲୀଳା ପ୍ରତିବାଦରେ ବୁଧବାର ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦଳର ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ସ୍ଥାନୀୟ ମାଷ୍ଟରକ୍ୟାଂଟିନ ଛକଠାରେ ଶତାଧିକ ଯୁବକ ଓ ମହିଳାମାନେ ଏକାଠି ହୋଇ ସରକାରଙ୍କର ଏହି ଦମନଲୀଳାର ପ୍ରତିବାଦ କରିଥିଲେ।
ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ, ପୋଲିସ ଲଗାଇ ଲାଠି ଚାର୍ଜ କରିବା, ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସରକାରଙ୍କର ଯୁବପିଢି ପ୍ରତି ଥିବା ଭୟକୁ ପ୍ରତିପାଦିତ କରୁଛି। ଯୁବପିଢିଙ୍କୁ ରୋଜଗାରକ୍ଷମ କରିବାରେ ବିଫଳ ସରକାର ସେମାନଙ୍କର ନାର୍ଯ୍ୟ ଦାବି ପାଇଁ ଉଠୁଥିବା ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଭାପତି ଇଂ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା