ଝାରସୁଗୁଡ଼ାରେ ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା, ତ୍ରୁଟିମୁକ୍ତ ତାଲିକା ପ୍ରସ୍ତୁତିକୁ ଆରଡିସିଙ୍କ ଗୁରୁତ୍ୱ
Rdc level review meeting on sir
Rdc level review meeting


ଝାରସୁଗୁଡ଼ା, 22 ଜୁଲାଇ (ହି.ସ.) ଝାରସୁଗୁଡ଼ା ବ୍ଲକ୍ ସମ୍ମିଳନୀ କକ୍ଷରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍.ଡି.ସି.) ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କ୍ଷେତ୍ର ସ୍ତରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ।ଏହି ଅବସରରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଝାରସୁଗୁଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଅନିଲ କୁମାର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସଂଶୋଧନ କାର୍ଯ୍ୟର ପ୍ରଗତି, ମତଦାତାଙ୍କ ନାମ ସଂଯୋଜନ, ବିଲୋପ ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ଆର୍.ଡି.ସି. ମହାପାତ୍ର ଏକ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସର୍ବବ୍ୟାପୀ ଭୋଟର ତାଲିକା ପ୍ରକାଶନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିରପେକ୍ଷତା ବଜାୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଶୋଧନ କାର୍ଯ୍ୟ ସମାପ୍ତ କରିବା ସହ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମ ଭୋଟର ତାଲିକାରେ ସାମିଲ ହେବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ କ୍ଷେତ୍ର ସ୍ତରରେ କାର୍ଯ୍ୟକୁ ଅଧିକ ସକ୍ରିୟ ଓ ଦାୟିତ୍ୱବୋଧ ସହିତ ସମ୍ପାଦନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande