ଡ୍ରେନ ସଫେଇ ଅଭାବରୁ ଦେଓପାଲିରେ ଜଳବନ୍ଦୀ ସ୍ଥିତି
Water logging due to drain chocks
Water logging


ଝାରସୁଗୁଡା, 22 ଜୁଲାଇ (ହି.ସ.)

: ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି, ଦୁର୍ଦ୍ଦଶାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ; ସ୍ଥାୟୀ ସମାଧାନ ଦାବି

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଲଖନପୁର ବ୍ଲକ ଅନ୍ତର୍ଗତ ମଚିଦା ଗ୍ରାମ ପଞ୍ଚାୟତର ଦେଓପାଲି ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି। ବର୍ଷା ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ପାଣି ଜମି ରହିଥିବାରୁ ସାଧାରଣ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି।

ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥା ଥିଲେ ମଧ୍ୟ ଦୀର୍ଘଦିନ ଧରି ଡ୍ରେନର ସଫେଇ ଓ ରକ୍ଷଣାବେକ୍ଷଣ ହୋଇନଥିବାରୁ ବାଲି, ମାଟି ଓ ଆବର୍ଜନାରେ ଡ୍ରେନଗୁଡ଼ିକ ପୋତି ହୋଇଯାଇଛି। ଫଳରେ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇ ଗାଁ ଦାଣ୍ଡ ଦେଇ ପାଣି ପ୍ରବାହିତ ହେଉଛି।

ଏହାର ସବୁଠାରୁ ଅଧିକ ପ୍ରଭାବ ସ୍କୁଲ ପଢ଼ୁଆ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି। ପ୍ରତିଦିନ ସେମାନେ ଆଣ୍ଠୁଏ ପାଣି ଭିତରେ ଚାଲି ବିଦ୍ୟାଳୟକୁ ଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ସେହିପରି ଦୀର୍ଘ ସମୟ ଧରି ପାଣି ଜମି ରହୁଥିବାରୁ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହେବା ସହ ଜଳବାହିତ ରୋଗ ବ୍ୟାପିବାର ସମ୍ଭାବନା ମଧ୍ୟ ଦେଖାଦେଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରତିବର୍ଷ ବର୍ଷା ଋତୁରେ ଏହି ସମସ୍ୟା ଦେଖାଦେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉନାହିଁ। ତେଣୁ ତୁରନ୍ତ ଡ୍ରେନ ସଫେଇ, ମରାମତି ଓ ବର୍ଷା ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ବେହେରା, ନାଏବ ସରପଞ୍ଚ କିଶୋର ସାହୁ, ୱାର୍ଡ ସଭ୍ୟ ମୁକେଶ ସାହୁଙ୍କ ସମେତ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ଶୀଘ୍ର ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ସମସ୍ୟା ଆହୁରି ଗୁରୁତର ରୂପ ନେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande