
ଝାରସୁଗୁଡ଼ା, 22 ଜୁଲାଇ (ହି.ସ.) - ଝାରସୁଗୁଡ଼ା ସହରର ବେହେରାମାଲ ଓଭରବ୍ରିଜ୍ରୁ କକ୍ସ କଲୋନୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ବ୍ୟାହତ ହେଉଛି। ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ହୋଇନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଏହି ରାସ୍ତା ଦେଇ ପ୍ରତିଦିନ କକ୍ସ କଲୋନୀ, ଚୌକିପଡ଼ା, ରେଲୱେ କଲୋନୀ ସମେତ ବିଭିନ୍ନ ଅଞ୍ଚଳର ଶହ ଶହ ଲୋକ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯାତାୟାତ କରିଥାନ୍ତି। କିନ୍ତୁ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା ନଥିବାରୁ ବର୍ଷା ହେଲେ ରାସ୍ତାଟି ଜଳମଗ୍ନ ହୋଇପଡ଼ୁଛି। ଫଳରେ ପଥଚାରୀ, ଦୁଇଚକିଆ ଯାନଚାଳକ ଏବଂ ସ୍କୁଲ ପିଲାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଗର କଂଗ୍ରେସ ସଭାପତି ଦେବାନନ୍ଦ ବାରିକଙ୍କ ଅଭିଯୋଗ ଅନୁଯାୟୀ, ଏହା କୌଣସି ନୂଆ ସମସ୍ୟା ନୁହେଁ। ବର୍ଷ ବର୍ଷ ଧରି ରାସ୍ତାରେ କୃତ୍ରିମ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ପୌର ପରିଷଦ ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ଝାରସୁଗୁଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ (ଇଓ) ନିଶିକାନ୍ତ ଟେଟେଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଜନସାଧାରଣ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାସ୍ତାର ଉନ୍ନତୀକରଣ ସହ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସହରବାସୀ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ