
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ଦିବ୍ୟାଙ୍ଗଙ୍କୁ ୟୁନିକ୍ ଡିସେବିଲିଟି ଆଇଡି ବା
ୟୁଡିଆଇଡି କାର୍ଡ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ
ନେଇଛନ୍ତି। ବର୍ତ୍ତମାନ ହଜାର ହଜାର ଆବେଦନ ମେଡିକାଲ ଟେଷ୍ଟ ଓ ମେଡିକାଲ ବୋର୍ଡର ଅନୁମୋଦନ
ଅପେକ୍ଷାରେ ବିଚାରାଧୀନ ରହିଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ
ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମସ୍ତ ଜିଲ୍ଲାରେ ନିୟମିତ ମେଡିକାଲ ବୋର୍ଡ
ବସାଇବା, ଦିବ୍ୟାଙ୍ଗତା
ନିର୍ଣ୍ଣୟ ପାଇଁ ଆବଶ୍ୟକ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ବକେୟା
ଆବେଦନଗୁଡ଼ିକର ପ୍ରାଥମିକତା ଭିତ୍ତିରେ ଶୀଘ୍ର ଫଇସଲା କରି ୟୁଡିଆଇଡି କାର୍ଡ ଜାରି କରିବାକୁ
ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ୟୁଡିଆଇଡି ପୋର୍ଟାଲରେ ଏପର୍ଯ୍ୟନ୍ତ ୧୩ ଲକ୍ଷ ୩୨ ହଜାର
୪୧୫ଟି ଆବେଦନ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୩ ହଜାର ୩୪୪ ଜଣଙ୍କୁ ୟୁଡିଆଇଡି କାର୍ଡ
ମିଳିସାରିଥିବା ବେଳେ ୩ ଲକ୍ଷ ୧୪ ହଜାର ୭୨୧ଟି ଆବେଦନ ବାତିଲ ହୋଇଛି। ତେବେ ଏବେ ମଧ୍ୟ ୪୪ ହଜାର
୩୫୦ଟି ଆବେଦନ ବିଭିନ୍ନ ସ୍ତରରେ ବିଚାରାଧୀନ ରହିଛି। ପ୍ରତ୍ୟେକ ଜିଲ୍ଲାରେ ଏହି ପ୍ରକ୍ରିୟାର
ନିୟମିତ ସମୀକ୍ଷା କରି ବିଳମ୍ବ ଦୂର କରିବା ସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ମୁଖ୍ୟ
ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ବୋର୍ଡ ଓ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ସହ
ସମନ୍ୱୟ ରକ୍ଷା କରି ନିୟମିତ ମୂଲ୍ୟାଙ୍କନ ଶିବିର ଆୟୋଜନ, ଆବେଦନକାରୀଙ୍କୁ ଆବଶ୍ୟକ ପରାମର୍ଶ ଓ ସହଯୋଗ ଯୋଗାଇବା, ଅଭିଯୋଗର ତୁରନ୍ତ
ସମାଧାନ କରିବା ଏବଂ ବକେୟା ଆବେଦନର ସ୍ଥିତିର ନିୟମିତ ସମୀକ୍ଷା କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ
କରିବାକୁ କୁହାଯାଇଛି। ଏହାସହ ପ୍ରକୃତ ଦିବ୍ୟାଙ୍ଗମାନେ ଯେପରି କୌଣସି ପର୍ଯ୍ୟାୟରେ ଅନାବଶ୍ୟକ
ହଇରାଣ କିମ୍ବା ବିଳମ୍ବର ଶିକାର ନ ହୁଅନ୍ତି, ସେଥିପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଦିବ୍ୟାଙ୍ଗ ସରକାରୀ
କର୍ମଚାରୀଙ୍କ ପ୍ରମାଣପତ୍ରର ପୁନଃଯାଞ୍ଚ ଓ ପୁନଃମୂଲ୍ୟାଙ୍କନକୁ ନେଇ ଉଠିଥିବା ମାନବାଧିକାର
ପ୍ରସଙ୍ଗରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟଗୁଡ଼ିକୁ ୟୁଡିଆଇଡି କାର୍ଡ ପ୍ରଦାନ ପ୍ରକ୍ରିୟାରେ
ଗତି ଆଣିବା, ପ୍ରକୃତ
ଦିବ୍ୟାଙ୍ଗଙ୍କୁ ଅନାବଶ୍ୟକ ଅସୁବିଧାରେ ନ ପକାଇବା ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ
ସମ୍ପର୍କରେ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଏହା ପରେ ରାଜ୍ୟ ସରକାର ଏହି
ପଦକ୍ଷେପ ନେଇଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା