
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଂଟିଆ ବୁଧବାର ଅରଣ୍ୟ ଭବନଠାରେ ଇଂଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂଓ କମାଣ୍ଡ ସେଂଟର ର ଉଦ୍ଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପ୍ରଯୁକ୍ତି-ନିର୍ଭର ବନ ପ୍ରଶାସନ ଏବଂ ନିରନ୍ତର ପ୍ରାକୃତିକ ସମ୍ପଦ ପରିଚାଳନା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ ବନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ଓଡ଼ିଶାର ବନ ସମ୍ପଦର ସଂରକ୍ଷଣ ଓ ନିରନ୍ତର ପରିଚାଳନା ପାଇଁ ସମୟୋପଯୋଗୀ ନିଷ୍ପତି ଗ୍ରହଣରେ ସହାୟକ ହେବ।
ଇଂଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟରକୁ ଏକ କେନ୍ଦ୍ରୀଭୂତ ଡିଜିଟାଲ୍ ପ୍ଲାଟଫର୍ମ ଭାବେ ବିକଶିତ କରାଯାଇଛି, ଯାହା ରିଅଲ୍-ଟାଇମ୍ ନିରୀକ୍ଷଣ ଓ ତଥ୍ୟଭିତିକ ନିଷ୍ପତି ଗ୍ରହଣକୁ ସୁଗମ କରିବ। ଏଥିରେ ବିଭିନ୍ନ ଡିଜିଟାଲ୍ ବ୍ୟବସ୍ଥା ଓ ଜିଓସ୍ପେସିଆଲ୍ ପ୍ରଯୁକ୍ତିର ସମନ୍ୱୟ କରାଯାଇ ବନ ସୁରକ୍ଷା, କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଓ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରାଯିବ।
ଏହି ଅବସରରେ ବିଭାଗର ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶା ଫରେଷ୍ଟ ମ୍ୟାନେଜମେଂଟ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ସୂଚନା ପ୍ରଯୁକ୍ତି-ଆଧାରିତ ପଦକ୍ଷେପଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ବନ ସୁରକ୍ଷା, ବୃକ୍ଷରୋପଣ, ବନାଗ୍ନି ପରିଚାଳନା, ପାଟ୍ରୋଲିଂ,ଆସେଟ୍ ମ୍ୟାନେଜମେଂଟ, ଜିଓସ୍ପେସିଆଲ୍ ମ୍ୟାପିଂ, କ୍ଷତିପୂରକ ବନୀକରଣ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଏବଂ ନାଗରିକ ସେବାଗୁଡ଼ିକର ଅନଲାଇନ୍ ନିରୀକ୍ଷଣ ଏକୀକୃତ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସମ୍ଭବ ହୋଇପାରୁଛି।
ଏହି ପଦକ୍ଷେପ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଓଡ଼ିଶାର ନେତୃତ୍ୱକୁ ଆହୁରି ମଜବୁତ କରିବା ସହ ବନ ବିଭାଗର କାର୍ଯ୍ୟଦକ୍ଷତା, ସମନ୍ୱୟ ଓ ସେବା ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ମନ୍ତ୍ରୀ ଡବ୍ଲୁଡବ୍ଲୁଡବ୍ଲୁ .ଓଏଫଏସଡିଏସ.ଓଡ଼ିଶା.ଜିଓଭି.ଇନ୍ ର ନବୀକୃତ ୱେବସାଇଟ୍?ର ଶୁଭ ଉନ୍ମୋଚନ କରିଥିଲେ। ଏହା ସହିତ ଭାରତରେ ଜାଇକା ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳାର ସ୍ମରଣିକା ଏବଂ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭେଲପମେଣ୍ଟ ପ୍ରୋଜେକ୍ଟ (ଦ୍ୱିତୀୟ ପର୍ଯ୍ୟାୟ)ର ବାର୍ଷିକ ରିପୋର୍ଟ (୨୦୨୫–୨୬)କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ପ୍ରକାଶନଗୁଡ଼ିକରେ ପ୍ରକଳ୍ପର ସଫଳତା, ଉତମ କାର୍ଯ୍ୟପଦ୍ଧତି ଏବଂ ନିରନ୍ତର ବନୀକରଣ ଓ ସାମୁଦାୟିକ ବିକାଶ କ୍ଷେତ୍ରରେ ସହଯୋଗୀ ପ୍ରୟାସଗୁଡ଼ିକ ଉଲ୍ଲେଖ କରାଯାଇଛି।
ଉଦ୍ଘାଟନୀ ସମାରୋହରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ, ଓଡ଼ିଶା ଡ଼ଃ କେ. ମୁରୁଗେଶନ, ପିସିସିଏଫ୍ (କେଏଲ୍) ଶ୍ରୀମତୀ ଉମା ନନ୍ଦୁରୀ, ଓଏଫ୍ଏସ୍?ଡିପିର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜି. ରାଜେଶ, ସିଏଫ୍ (ଆଇଟି ଏବଂ ଜିଆଇଏସ୍) ଭି. କାର୍ତିକ, ସ୍ୱତନ୍ତ୍ର ଶାସନ ସଚିବ, ସ୍ୱୟଂ ମଲ୍ଲିକ, ନିର୍ଦ୍ଦେଶକ, ପରିବେଶ-ତଥା-ସ୍ୱତନ୍ତ୍ର ଶାସନ ସଚିବ, କେ.ଏସ୍. ପ୍ରଦୀପ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା