
c
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ୧୯୪୭ ମସିହା ଜୁଲାଇ ୨୨ ତାରିଖରେ 'ତ୍ରିରଙ୍ଗା'କୁ ଜାତୀୟ ପତାକା ଭାବେ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିଲା। ଏହି 'ଜାତୀୟ ପତାକା ଅଙ୍ଗୀକାର ଦିବସ'ରେ ଆମ ସାର୍ବଭୌମତ୍ୱର ଶୀର୍ଷ ପ୍ରତୀକ ପବିତ୍ର ତ୍ରିରଙ୍ଗା ପ୍ରତି ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜିର ଏହି ପବିତ୍ର ଦିନଟି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଗୌରବ, ସ୍ୱାଭିମାନ ଓ ଦେଶପ୍ରେମର ଏକ ଅପୂର୍ବ ଶିହରଣ ସୃଷ୍ଟି କରେ। ୧୯୪୭ ମସିହା ଜୁଲାଇ ୨୨ ତାରିଖର ଏହି ସ୍ମରଣୀୟ ଐତିହାସିକ ଦିନରେ ଆମ ଜାତୀୟ ଅସ୍ମିତାର ମହାପ୍ରତୀକ 'ତ୍ରିରଙ୍ଗା'କୁ ଜାତୀୟ ପତାକା ଭାବେ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିଲା। ଏହି 'ଜାତୀୟ ପତାକା ଅଙ୍ଗୀକାର ଦିବସ'ରେ ଆମ ସାର୍ବଭୌମତ୍ୱର ଶୀର୍ଷ ପ୍ରତୀକ ପବିତ୍ର ତ୍ରିରଙ୍ଗା ପ୍ରତି ମୋର ସଶ୍ରଦ୍ଧ ପ୍ରଣାମ।
ଆମ ଜାତୀୟ ପତାକା କେବଳ ତିନୋଟି ରଙ୍ଗର ସମାହାର ନୁହେଁ; ଏହା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗର ଅତୁଳନୀୟ ସାହସ, ଧଳା ରଙ୍ଗର ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗର ପ୍ରଗତି ଏବଂ ମଝିରେ ବିରାଜମାନ ନୀଳ ରଙ୍ଗର ଅଶୋକ ଚକ୍ର ଆମକୁ ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟର ପଥରେ ଅବିରାମ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ।
ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା ନିୟମାବଳୀର ସରଳୀକରଣ ଏବଂ 'ଘରେ ଘରେ ତ୍ରିରଙ୍ଗା' ଅଭିଯାନ ଆଜି ସମଗ୍ର ଦେଶରେ ରାଷ୍ଟ୍ରଚେତନାର ଏକ ମହାପ୍ରବାହ ସୃଷ୍ଟି କରିଛି। ଯେଉଁ ଅଗଣିତ ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦ ବୀର ସୈନିକମାନଙ୍କ ଅସୀମ ଆତ୍ମବଳିଦାନ ଯୋଗୁଁ ଆଜି ଆମେ ଏହି ମୁକ୍ତ ଆକାଶ ତଳେ ଗୌରବର ସହ ତ୍ରିରଙ୍ଗା ଉଡ଼ାଉଛୁ, ସେହି ସମସ୍ତ ଅମର ସନ୍ତାନଙ୍କ ଚରଣରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଆସନ୍ତୁ, ସମସ୍ତେ ଏକଜୁଟ ହୋଇ ଆମ ମାତୃଭୂମିର ଏକତା, ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରି ତ୍ରିରଙ୍ଗାର ମାନ, ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟଳରେ ସଦାସର୍ବଦା ଶୀର୍ଷରେ ରଖିବାର ଦୃଢ଼ ସଂକଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା