
ଝାରସୁଗୁଡ଼ା, ୨୫ ଜୁଲାଇ (ହି.ସ.)- ଝାରସୁଗୁଡ଼ା ରେଳ ଷ୍ଟେସନରେ ଯାତ୍ରୀ ସେବାର ଅବ୍ୟବସ୍ଥା ଓ ନିର୍ମାଣ କାର୍ଯ୍ୟ ଯୋଗୁଁ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବି କରି ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଷ୍ଟେସନ ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦଳର ଜିଲ୍ଲା ସଭାପତି ହରିଶ ଗଣତ୍ରାଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଷ୍ଟେସନରେ ନୂତନ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଯାତ୍ରୀମାନଙ୍କୁ ଦୀର୍ଘ ଫୁଟ୍ ଓଭରବ୍ରିଜ୍ ଦେଇ ଯାତାୟାତ କରିବାକୁ ପଡ଼ୁଛି। ଏଥିରେ ବିଶେଷକରି ବୃଦ୍ଧ, ରୋଗୀ ଓ ଦିବ୍ୟାଙ୍ଗ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନରେ ନିର୍ମାଣାଧୀନ ଅଞ୍ଚଳରେ କାଦୁଅ ଓ ପାଣି ଜମି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ତେଣୁ ଅସ୍ଥାୟୀ ରାମ୍ପ, ଏସ୍କାଲେଟର, ଲିଫ୍ଟ କିମ୍ବା ବ୍ୟାଟେରି ଚାଳିତ ଯାନର ବ୍ୟବସ୍ଥା କରିବାକୁ ଦଳ ଦାବି କରିଛି। ଏହାଛଡ଼ା ପ୍ଲାଟଫର୍ମରେ ବିଶୁଦ୍ଧ ପାନୀୟ ଜଳର ଅଭାବ, ଶୌଚାଳୟ ଓ ପ୍ରତୀକ୍ଷାଳୟରେ ଜଳ ଯୋଗାଣ ବନ୍ଦ ରହିବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଦାବିପତ୍ରରେ ଦର୍ଶାଯାଇଛି। ସେହିପରି ଚୌକିପଡ଼ା ଓ ବେହେରାମାଲ ରେଳ ଓଭରବ୍ରିଜ୍ (ଆରଓବି) ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାପନ୍ତରିଆ ରହିଥିବାରୁ ସହରରେ ଟ୍ରାଫିକ୍ ସମସ୍ୟା ବଢ଼ୁଥିବା ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଛି।
ବିଜେଡି ପକ୍ଷରୁ ଝାରସୁଗୁଡ଼ା–ଗୋନ୍ଦିଆ, ଝାରସୁଗୁଡ଼ା–ରାଞ୍ଚି ଓ ସମ୍ବଲପୁର–ରାଉରକେଲା ମେମୁ ଟ୍ରେନ୍ ଗୁଡ଼ିକୁ ପାର୍ବଣ ସମୟରେ ବନ୍ଦ ନକରି ନିୟମିତ ଚଳାଚଳ କରାଇବା, ଟ୍ରେନ୍ ବିଳମ୍ବ ସମସ୍ୟାର ସମାଧାନ, ଅଟୋ ପାର୍କିଂ ପାଇଁ ସ୍ଥାୟୀ ବ୍ୟବସ୍ଥା ଏବଂ ପ୍ଲାଟଫର୍ମ ନମ୍ବର–୧ରେ ଶେଡ୍ ବିସ୍ତାର କରିବାକୁ ମଧ୍ୟ ଦାବି କରାଯାଇଛି।
ଏହି ଦାବିପତ୍ରର ନକଲ ଚକ୍ରଧରପୁର, ସମ୍ବଲପୁର ଓ ବିଲାସପୁର ରେଳମଣ୍ଡଳର ଡିଆରଏମଙ୍କ ନିକଟକୁ ପଠାଯାଇଛି। ଶୀଘ୍ର ସମସ୍ୟାର ସମାଧାନ ନହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ବିଜୁ ଜନତା ଦଳ ପରିଷଦ ସଦସ୍ୟ ତାପସ ରାୟ ଚୌଧୁରୀ, ଜିଲ୍ଲା ସଭାପତି ହରିଶ ଗଣତ୍ରା, ପୌରାଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀଙ୍କ ସମେତ ରବି ସିଂ, ମଦନ ହାତୀ, ଆଲୋକ ତ୍ରିପାଠୀ, ପୱନ ସିଂ ଯାଦବ, ପୱନ ଶର୍ମା, ମନୋଜ କୁମାର ଦୋରା, ଶ୍ୟାମ ସୁନ୍ଦର ମହାପାତ୍ର, ବି. ନାଗେଶ୍ୱରୀ, ଜ୍ୟୋତି ସୁନାର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ