
ବଲାଙ୍ଗିର, 25 ଜୁଲାଇ (ହି.ସ.)
ମୁମ୍ବାଇରେ ଆୟୋଜିତ ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ମହୋତ୍ସବରେ ବଲାଙ୍ଗିରର ଟିମ୍ ଏକ୍ତା ନିଜର ଜବରଦସ୍ତ ଲୋକକଳା ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଛି । ପ୍ରାୟ ୮୦ ହଜାରରୁ ୧ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ଦଳର ଢୋଲ, ନିଶାନ, ତାସା, ମୁହୁରୀ ଓ ପାରମ୍ପରିକ ଲୋକଗୀତର ତାଳରେ ଭକ୍ତମାନେ ନାଚି ଝୁମି ଉଠିଥିଲେ । ଟିମ୍ ଏକ୍ତାର ମୁଖ୍ୟ ସୁବଳ ମହାକୁରଙ୍କ ନେତୃତ୍ୱରେ ଜିତ୍ ସୁନା, ଜ୍ୟୋତିର୍ମୟୀ କର, ରୋଜିତା ବାଗ୍, ଶୁଭଲକ୍ଷ୍ମୀ ମେହେର, ଅର୍ଜୁନ ବିଭାର, ପ୍ରିୟଙ୍କା ନାଗ ଓ ଅନ୍ୟାନ୍ୟ କଳାକାରମାନେ ମୁମ୍ବାଇର ସାକିନାକାରେ ଦୁଇ ଦିନ ଏବଂ ଖାରଗରରେ ଦୁଇ ଦିନ ଧରି ନିଜ କଳାର ଅନନ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସେମାନଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ମୁମ୍ବାଇ ଶ୍ରୀ ଜଗନ୍ନାଥ ସେବା ମଣ୍ଡଳ ରଥଯାତ୍ରା କମିଟି ପକ୍ଷରୁ ସମସ୍ତ କଳାକାରଙ୍କୁ ସମ୍ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ବଲାଙ୍ଗିରର ଲୋକକଳା ଓ ସଂସ୍କୃତିକୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସଫଳତାର ସହ ପରିଚିତ କରାଇଥିବାରୁ ଟିମ୍ ଏକ୍ତାକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ