
ଜୟପୁର, ୨୫ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ କେମିତି ସରକାରୀ ବାବୁ ମାନେ ଏସଏଚଜି ମହିଳା ମାନଙ୍କୁ ମୋହରା କରି ଅନେଜ ପ୍ରକଳ୍ପ ଜରିଆରେ ଲୁଟି ନେଇଥିଲେ କୋଟି କୋଟି ଟଙ୍କା । ଏବେ ଆଉ ଏକ ହରିଲୁଟର ସଙ୍ଗିନ ଚିତ୍ର l ମାର ମାର ଭଣ୍ଡାରିଆକୁ ମାର ଲୋକାଚାର ଭଳି ଏବେ ଚାଲିଛି ବୋରୀଗୁମ୍ମା ବ୍ଲକ ରେ ହରିଲୁଟ | ୧ ଲକ୍ଷ କି ଦୁଇ ଲକ୍ଷ ନୁହେଁ କୋଟିକୋଟି ଟଙ୍କା ଖାଇ ସରକାରୀ ବାବୁ ଚୁପ |ମାଟି କାମୁଡୁଛି ସରକାରୀ କୋଠା କୁକୁଡା କାମୁଡୁଛନ୍ତି ଠିକାଦାର ଓ ବାବୁ | ଦିନେ ଯୋଉ ବ୍ଲକ ରାଜ୍ୟ ରାଜନୀତିରେ ଏକ ନମ୍ବରରେ ରହି ନିଜ ପରିଚୟକୁ ସ୍ଵତନ୍ତ୍ର କରିଥିଲା ଆଜି ବି ସେ ନିଜ ପରିଚୟକୁ ରଖିଛି ସୁଦୃଢ ଖାଲି ଫରକ ରହିଛି ସ୍ଥାନର ସେତେବେଳେ ଅଧିକା ବିକାଶ ପାଇଁ ପାଇଥିଲା ଏକ ନମ୍ବର ସ୍ଥାନ ଆଉ ଏବେ ପାଇଛି ଦୁର୍ନୀତିରେ ଏକ ନମ୍ବର ସ୍ଥାନ। ଯାହାର ଜ୍ଵଳନ୍ତ ଉଦା ହରଣ ସାଜିଛି ବୋରିଗୁମ୍ମା ବ୍ଲକ ର ଏସଏଚଜି ମା ମାନଙ୍କୁ ମୋହରା ସଜାଇ ତତ୍କାଳୀନ ସରକାର ଓ ତତ୍କାଳୀନ ସରକାରୀ ବାବୁ ଲୁଟ କରିଥିବା କୋଟି କୋଟି ଟଙ୍କା | ବୋରିଗୁମ୍ମା ବ୍ଲକ ପ୍ରଶାସନର ମିଶନ କୁକୁଡ଼ା ଚାଷ ଉପରେ। ବ୍ଲକର ୩୧ ପଞ୍ଚାୟତରେ କୁକୁଡ଼ା ଚାଷ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା। ହେଲେ କେଉଁଠି ଟିଣ, ଝରକା ଚୋରି ହୋଇଯାଇଛି ତ ଆଉ କେଉଁଠି ଅସାମାଜିକ ବ୍ୟକ୍ତିଙ୍କ ଅସାମାଜିକ କାର୍ଯ୍ୟ ଜାରି ରହୁଛି। ପାଣିରେ ପଡିଛି କୋଟିକୋଟି ଟଙ୍କା। ଏସବୁ ପଛରେ ମୂଳ ଲକ୍ଷ୍ୟ ଥିଲା କି କୋରାପୁଟ ଜିଲ୍ଲାରେ କୁକୁଡ଼ା ଚାଷ ହାର ବୃଦ୍ଧି କରିବା, ଆଉ ଏସଏଚଜି ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା କିନ୍ତୁ ଏହି ଚିତ୍ର ଦେଖିଲେ ଆପଣ ମାନେ ବି ଅନୁମାନ କରିପାରୁଥିବେ କୁକୁଡ଼ା ଚାଷର ହାର କେତେ ବୃଦ୍ଧି ହୋଇଛି ଆଉ ଏସଏଚଜି ମହିଳା ମାନେ କେମିତି ହେଉଛନ୍ତି କୋରାପୁଟ ଜିଲାରେ ସ୍ବାବଲମ୍ବୀ |ଅନ୍ୟପଟେ ସରକାରୀ ତଥ୍ୟ ଓ ସୂଚନା ମୁତାବକ ଆଜିକୁ ପ୍ରାୟ ତିନି ବର୍ଷ ତଳେ ମାନେ ଆର୍ଥିକ ବର୍ଷ 20/21 ରେ ବୋରିଗୁମ୍ମା ବ୍ଲକରେ ଆରମ୍ଭ ହୋଇଥିଲା ମିଶନ କୁକୁଡ଼ା ଚାଷ। ଏଥିପାଇଁ ବ୍ଲକର ସମସ୍ତ ପଞ୍ଚାୟତରେ ନରେଗା ଯୋଜନାରେ ହୋଇଥିଲା ୧୦ଟି ଲେଖାଏଁ କୁକୁଡ଼ା କୁଡ଼ିଆ। ଗୋଟିଏ କୁଡ଼ିଆକୁ ୩ଲକ୍ଷ ଟଙ୍କା୧୦ଟି କୁଡ଼ିଆକୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି କ୍ରମରେ ୩୧ଟି ପଞ୍ଚାୟତର ହିସାବ କଲେ ୯ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଦ୍ୟୁତି କରଣ ଏବଂ ବୋରୱେଲ ଖନନରେ ମଧ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ଏହା ପରେ ଓଏଲଏମ ତରଫରୁ କୁକୁଡ଼ା ଛୁଆ ବାବଦକୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଅଧିକାଂଶ ପଞ୍ଚାୟତରେ କୁକୁଡ଼ା ଛୁଆ ମରିଯାଇଛନ୍ତି। ଏସବୁ ବାଦ କୁକୁଡ଼ା ଗୃହର ପରିଚାଳନା ପାଇଁ କିଛି ପଞ୍ଚାୟତର ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇଛି। ନିର୍ବାଚନକୁ ଆଖି ଆଗରେ ରଖି ମହିଳା ଭୋଟ କୁ ହାତେଇବା ପାଇଁ ହୋଇଥିଲା ଏହିସବୁ ଷଡଯନ୍ତ୍ର | ଆଉ ସବୁଠାରୁ ବଡ କଥା ଏହି କେଳେଙ୍କାରି ହୋଇଥିବା ଘଟଣାରେ ମୁଖ୍ୟ ଖଳନାୟକ ସାଜିଥିବା ସରକାରୀ ବାବୁ ଗୁମର ଖୋଲିବା ପୂର୍ବରୁ ନିଜ ବାଟ ନିଜେ ଦେଖି ଅନ୍ୟ ସ୍ଥାନକୁ ଛୁ | ବର୍ତମାନ ଏହିଭଳି ସବୁ କାର୍ଯ୍ୟରୁ ବର୍ତମାନ ଦିନେ ଓଡିଶାର ଏକ ନମ୍ବର ସ୍ଥାନ ପାଇଥିବା ବୋରୀଗୁମା ବ୍ଲକ ଖସି ଆସି ପହଞ୍ଚିଛି ୧୪ ନମ୍ବରରେ |ଦୁଇ ତିନି ବର୍ଷ ନ ଯାଉଣୁ ସମସ୍ତ ପଞ୍ଚାୟତର କୁକୁଡ଼ା ଗୃହ ଭୂତକୋଠି ପାଲଟିଛି। ସେପଟେ ତତ୍କାଳୀନ ସରକାର ସମୟରେ ଏଭଳି କୋଟି କୋଟି ସରକାରୀ ଟଙ୍କାକୁ ଅବବ୍ୟବହାର କରି ସରକାରୀ ବାବୁ ମାନେ ହରିଲୁଟ କରିଛନ୍ତି । ଏବେ ନୂଆ ସରକାର ଏସବୁ ପ୍ରକଳ୍ପ ଉପରେ ଦୃଷ୍ଟି ଦେଇ ସେସବୁର ତଦନ୍ତ କରିବା ଦରକାର ବୋଲି ବୁଦ୍ଧିଜୀବୀ ଦାବି ରଖିଛନ୍ତି। ଏସବୁ କିପରି କାର୍ଯ୍ୟକାରୀ ହେବ ସେନେଇ ବିଡ଼ିଓଙ୍କ ସହିତ ଆଲୋଚନା କରାଯିବ ବୋଲି ସଫେଇ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ।ଗତ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମହିଳା ଭୋଟ ବେଙ୍କ କୁ ହାତେଇବା ପାଇଁ ଏସବୁ ଯୋଜନା କରିଥିଲେ ତତ୍କାଳୀନ ସରକାର। ଏସବୁ ଯୋଜନାରେ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଲେ ନାହିଁ କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ପାଇ ମାଲେମାଲ ହେଲେ ସରକାରୀ ବାବୁ। ତେଣୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି