
ଚମ୍ପୁଆ, ୨୫ ଜୁଲାଇ(ହି.ସ.) – ଗତ ଏକମାସ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାକୁ ଚାଲିଯାଇଥିବା ୨୫ ଟିକିଆ ହାତୀପଲ ଗତକାଲି ପୁଣି ଚମ୍ପୁଆ ରେଞ୍ଜକୁ ଲେଉଟି ଆସିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତକାଲି ମୟୂରଭଞ୍ଜରୁ ବାହାରି ପାଟଣା ରେଞ୍ଜ ମଧ୍ୟ ଦେଇ ହାତୀପଲ ଚମ୍ପୁଆ ରେଞ୍ଜରେ ପ୍ରବେଶ କରିଥିଲେ। ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର ପଦ୍ମପୁର ଠାରେ ବୈତରଣୀ ନଦୀ ପାରହୋଇ ହାତୀମାନେ ବରପଦା ଜଙ୍ଗଲରେ ପ୍ରବେଶ କରିଥିଲେ। ଜଙ୍ଗଲ ମଧ୍ୟରେ ପଶିବା ପରେ ସେଠାକାର ଏକ ପୋଖରୀରେ ହାତୀପଲ ଦୀର୍ଘ ସମୟ ଧରି ଜଳକ୍ରୀଡ଼ା କରିଥିବା ଦେଖିବାକୁ ମିଳିଥିଲା। ଜଙ୍ଗଲରୁ ବାହାରି ହାତୀପଲ ନିକଟସ୍ଥ ବର୍ଦ୍ଧନା ଗାଁ ଭିତରେ ପଶିଯାଇଥିଲେ। ଗାଁର ଯୁଧିଷ୍ଠିର ମହାକୁଡ଼ଙ୍କ ଘରକୁ ଭାଙ୍ଗିବା ସହ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଗାଁରେ ହାତୀ ପଶିଥିବା ନେଇ ଖବର ପାଇବା ପରେ ବନ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ହାତୀପଲଙ୍କୁ ଗାଁରୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ଆଜି ସକାଳୁ ହାତୀପଲ ନିକଟସ୍ଥ ନିଉଣ୍ଡି ଗାଁ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡ଼ିଛି। ବନ ବିଭାଗର ସୂଚନା ମୁତାବକ, ଏହି ହାତୀପଲରେ ଦନ୍ତାହାତୀ ୫ଟି, ମାଇ ହାତୀ ୧୧ଟି, ଛୁଆ ହାତୀ ୯ଟି ମୋଟ ୨୫ଟି ହାତୀ ପୁଣିଥରେ ଏହି ଅଂଚଳକୁ ଫେରିଥିବାରୁ ଆଖପାଖ ଗ୍ରାମଗୁଡ଼ିକରେ ଆତଙ୍କ ଦେଖାଦେଇଛି। ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଏହାସହ ଗ୍ରାମବାସୀଙ୍କୁ ହାତୀଙ୍କ ଠାରୁ ଦୂରତା ବଜାଇ ରଖିବାକୁ ଏବଂ ରାତ୍ରୀ ସମୟରେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta