
ଝାରସୁଗୁଡ଼ା, ୨୫ ଜୁଲାଇ (ହି.ସ.)- ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ଏବଂ ଶାନ୍ତି-ଶୃଙ୍ଖଳା ମଧ୍ୟରେ ଝାରସୁଗୁଡା ଜ଼ିଲ୍ଲା କୁକୁରଜଙ୍ଘା ସ୍ଥିତ ଶ୍ରୀ ପତିତପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପବିତ୍ର ବାହୁଡା଼ ଯାତ୍ରା ସମ୍ପନ୍ନ ହୋଇଯାଇଛି। ଠାକୁରଙ୍କ ସକାଳ ଧୂପ ସହ ରଥରେ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଦ୍ୱିପ୍ରହର ଅନ୍ନଭୋଗ ଲାଗି ହେବା ପରେ ପହୁଡ଼ ପଡ଼ିଥିଲା।
ଅପରାହ୍ନ ୨ଟା ୩୦ ରେ ପହୁଡ଼ ଖୋଲାଯିବା ପରେ ବେହେରାପଲ୍ଲୀର ଗୌନ୍ତିଆ ପରିବାରର ବସନ୍ତ କୁମାର ସାହୁଙ୍କ ଦ୍ୱାରା ବରଣ ହୋଇ ଗଜପତି ଅନିଲ ଉଦ୍ଧବ ସିଂହ ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରକୁ ଆସିଥିଲେ। ସେଠାରେ ମୁଖ୍ୟ ପୁରୋହିତ ଅକ୍ଷୟ କୁମାର ମିଶ୍ର, ଦେବଦାସୀ, ପଞ୍ଚବ୍ରାହ୍ମଣ ଏବଂ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗଜପତି ଅନିଲ ଉଦ୍ଧବ ସିଂଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପାଦିତ ହୋଇଥିଲା l
ଏହାପରେ ମହାପ୍ରଭୁଙ୍କୁ ଟାହିଆ ବାନ୍ଧି ପହଣ୍ଡିବିଜେ କରାଯାଇ ରଥାରୂଢ଼ କରାଯାଇଥିଲା। ମୁଖ୍ୟ ପୁରୋହିତ ଅକ୍ଷୟ କୁମାର ମିଶ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା, ଆଳତି ଏବଂ ପୁଷ୍ପାଞ୍ଜଳି ପ୍ରଦାନ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।
ଶୃଙ୍ଖଳିତ ଦର୍ଶନ ଓ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ରଥ ଛୁଇଁବାକୁ ଚାହୁଁଥିବା ଭକ୍ତମାନଙ୍କ ପାଇଁ କମିଟି ଅଫିସରୁ ଟୋକନ୍ ବ୍ୟବସ୍ଥା କରାଯାଇଥିଲା। ରଥ ପଛପଟେ ସ୍ୱତନ୍ତ୍ର ଧାଡ଼ିବାନ୍ଧି ଭକ୍ତମାନେ ନିଜର ଶିଶୁ ଓ ପରିବାର ସହ ସୁରକ୍ଷିତ ଭାବେ ରଥ ସ୍ପର୍ଶ କରିବାର ସୁଯୋଗ ପାଇଥିଲେ। ଅନ୍ୟାନ୍ୟ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସମ୍ମୁଖ ପଟେ ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା କେନ୍ଦ୍ର ସ୍ଥାପନ କରାଯାଇ ଓଡ଼ିଶା ସରକାରଙ୍କ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁ ବିକ୍ରୟ କରାଯାଇ ମାଇକ ମାଧ୍ୟମରେ ସମସ୍ତ ସୂଚନା ପ୍ରଦାନ କରାଯାଇଥିଲା l ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ମେଡିକାଲ ପକ୍ଷରୁ ମଧ୍ୟ ଷ୍ଟଲ ଖୋଲାଯାଇଥିଲା l କୁକୁରଜଙ୍ଘା ଶ୍ରୀ ପତିତପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ମାନସ ସିହ୍ନl, ବସନ୍ତ ସାହୁ, ରାମକୃଷ୍ଣ ବଢ଼େଇ, ସନ୍ୟାସୀ ପ୍ରଧାନ, ଶତ୍ରୁଘ୍ନ ବାରିକ, ଈଶ୍ୱର ମେହେର, ଗଣେଶ ସାହୁ, ମୋହନ ନାଏକ ପ୍ରମୁଖ ବାହୁଡା଼ ଯାତ୍ରାକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l
ଯାତ୍ରାକୁ ସଫଳ ଓ ସୁଚାରୁ ରୂପେ ସମ୍ପାଦନ କରିବାରେ ସହଯୋଗ କରିଥିବାରୁ ଟ୍ରଷ୍ଟ କମିଟି ତରଫରୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ବିଭାଗ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସମସ୍ତ ସ୍ୱେଚ୍ଛାସେଵୀ ସଂଗଠନର କର୍ମକର୍ତ୍ତା ଏବଂ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ