ବେଲମୁଣ୍ଡା ପୋଖରୀ ପାଣିରେ ଶହେ ଏକର ଧାନ ଚାଷ ଜମି ଜଳମଗ୍ନ
Agricultural lands were covered on water
Water logging


ଝାରସୁଗୁଡ଼ା, 29 ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାରେ ବିଗତ ଦୁଇ ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଜନଜୀବନ ସହ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଘରଦ୍ୱାର, ରାସ୍ତାଘାଟ, ଗଛ ଓ ବିଦ୍ୟୁତ୍ ଖୁଣ୍ଟର କ୍ଷତି ଘଟିଥିବାବେଳେ ସବୁଠାରୁ ଅଧିକ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ନଈ, ନାଳ, ପୋଖରୀ ଓ ବନ୍ଧ ନିକଟବର୍ତ୍ତୀ ଚାଷ ଜମିରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିଛି।

ବିଶେଷକରି କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ନିକଟସ୍ଥ ବେଲମୁଣ୍ଡା ପୋଖରି ପରିସ୍ଥିତି ଅଧିକ ଗମ୍ଭୀର ରହିଛି। ଲଗାଣ ବର୍ଷା ପରେ ପୋଖରୀ ପାଣି ହିଡ଼ ଉପର ଦେଇ ପ୍ରବାହିତ ହେବାରୁ ଉପରମୁଣ୍ଡରେ ଥିବା ପ୍ରାୟ ୧୦୦ ଏକର ଧାନ ଚାଷ ଜମି ଜଳମଗ୍ନ ହୋଇଯାଇଛି। ଚାଷ ଜମିରେ ପ୍ରାୟ ୧ରୁ ୨ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ନୂତନ ଭାବେ ରୋପଣ କରାଯାଇଥିବା ଧାନ ଚାରା ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଚାଷୀମାନଙ୍କ କହିବା ଅନୁସାରେ, ଏହି ସମୟରେ ଧାନ ଚାରା ବୃଦ୍ଧି ପାଇଁ ଅଧିକ ଦିନ ପାଣି ଜମି ରହିବା କ୍ଷତିକାରକ। ଯଦି ଆଗାମୀ କିଛି ଦିନ ମଧ୍ୟରେ ଜମିରୁ ପାଣି ନିଷ୍କାସନ ନ ହୁଏ, ତେବେ ଧାନ ଗଛ ପଚିଯିବା ସହ ଉତ୍ପାଦନରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଫଳରେ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସ୍ଥାନୀୟ ଚାଷୀମାନେ ପ୍ରଶାସନ ଓ କୃଷି ବିଭାଗକୁ ତୁରନ୍ତ କ୍ଷୟକ୍ଷତିର ସରଜମିନ ତଦନ୍ତ କରି ପ୍ରଭାବିତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ସହ ଜମିରୁ ପାଣି ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ପାଣି ସ୍ତର କମିବା ପର୍ଯ୍ୟନ୍ତ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଥିବା ଦେଖାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande