ପାଣିରେ ବୁଡ଼ିଲା ଖୁନ୍ତାମାଲ ଅଙ୍ଗନବାଡ଼ି କେନ୍ଦ୍ର; ଶିଶୁଙ୍କ ପାଠପଢ଼ା ବନ୍ଦ, ସ୍ଥାୟୀ ସମାଧାନ ଦାବି
Anganbadi is under water logging
Anganbadi is under


ଝାରସୁଗୁଡ଼ା, 29 ଜୁଲାଇ (ହି.ସ.)- ଲଇକେରା ବ୍ଲକ ଅଧୀନ ଖୁନ୍ତାମାଲ ଅଙ୍ଗନବାଡ଼ି କେନ୍ଦ୍ର–୨ରେ ଲଗାତାର ବର୍ଷା ଯୋଗୁଁ ଆଣ୍ଠୁଏ ପାଣି ଜମି ରହିବାରୁ କୋମଳମତି ଶିଶୁଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗତ ତିନି ଦିନ ଧରି ଲଗାତାର ବର୍ଷା ପରେ କେନ୍ଦ୍ର ପରିସରରେ ପ୍ରାୟ ଦୁଇ ଫୁଟରୁ ଅଧିକ ପାଣି ଜମି ରହିଥିବାରୁ ଶିଶୁମାନଙ୍କ ପାଇଁ କେନ୍ଦ୍ରକୁ ଆସିବା ଅସମ୍ଭବ ହୋଇପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସାମାନ୍ୟ ବର୍ଷା ହେଲେ ମଧ୍ୟ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ଜମିବା ଏକ ନିତ୍ୟଦିନିଆ ସମସ୍ୟାରେ ପରିଣତ ହୋଇଛି। ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ପ୍ରଶାସନ ସମସ୍ୟା ସମ୍ପର୍କରେ ଅବଗତ ଥାଇ ମଧ୍ୟ ନିରବ ରହିଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିଶୁଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଖୁନ୍ତାମାଲ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ଦାୟିତ୍ୱରେ ଥିବା କିର୍ମିରା ବ୍ଲକ ସିଡିପିଓ ସଂଗୀତା ଅଢ଼ାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗର ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ସ୍ଥାପନ ସମ୍ଭବ ହୋଇପାରିନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande