
କୋରାଇ, ୨୯ ଜୁଲାଇ(ହି.ସ.) – ବୈତରଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ୨୦୧୧ ମସିହା ପରେ ଏହା ସବୁଠୁ ବଡ଼ ବନ୍ୟା ବୋଲି କୁହାଯାଉଛି। କୋରେଇ ବ୍ଲର ଅସନଝର, ରଣପୁର, ମକୁନ୍ଦପୁର, ବନ୍ଦାଳୋ, ଅମୃତିଆ, ମୂଳାପାଳ, ପଥରପଦା, ପାଣିକୋଇଲି ଆଦି ପଂଚାୟତ ବନ୍ୟା ଜଳରେ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଘରେ ପାଣି ପଶିବା ସହ ଗାଁ ଦାଣ୍ଡ ବୁଡ଼ି ରହିଛି। ମୁଖ୍ୟ ରାସ୍ତା ବୁଡ଼ିଥିବା ଦେଖାଦେଇଛି। ନମିଟିକରି, ରୂମାପଶି, ନୁରୁଙ୍ଗା, କଂଟିଗଡ଼ିଆ ଗ୍ରାମରେ ପାଣି ପଶିଛି। ମନ୍ଦିର, ସ୍ମଶାନ, ଗ୍ରାମଦେବତୀ ମନ୍ଦିର ପାଣିରେ ବୁଡ଼ିଯାଇଛି। ନଦୀବନ୍ଧରେ ଅନେକ ସ୍ଥାନ ଧସିଯାଇଚି। ବାଲିବସ୍ତା ପକାଇ ରୋକିବାକୁ ଚେଷ୍ଟା ଜାରିରହିଛି। କୋରେଇ ବିଧାୟକ ଆକାଶ ଦାସ ନାୟକ ପ୍ରଶାସନିକ ଅଧିକାରୀ ବିଡିଓ, ତହସିଲଦାର ଓ ପୁଲିସଙ୍କ ସହ ବଛିନ୍ନାଂଚଳ ପରିଦର୍ଶନ କରି କିଭଳି ବନ୍ୟା ମୁକାବିଲା କରାଯାଇ ପାରିବ ଓ ପାଣିଘେରରେ ଥିବା ଲୋକମାନଙ୍କୁ କିପରି ଶୁଖିଲା ଖାଦ୍ୟ ପହଂଚି ପାରିବ ସେ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କେତେକ କଚା ଘର ଭାଙ୍ଗିଛି। ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପାଣିଘେରର ଲୋକ ଛାତ ଉପରେ ଆଶ୍ରୟ ନେଇଛନ୍ତି। ଅନେକ ବସ୍ତିର ଲୋକମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳକୁ ନିଆଯାଇଛି। ମଧ୍ୟାନ୍ନ ଠାରୁ ଧିରେ ଧିରେ ଜଳସ୍ତର କମିବାକୁ ଲାଗିଛି। ପାଣିଘେରରେ ଥିବା ଲୋକମାନଙ୍କୁ ପ୍ରଶାସନ ସମସକ୍ତ ସୁବିଧା ଯୋଗଇ ଦେବାକୁ ସାଧାରଣରେ ଦାବି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି