

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସମସ୍ୟା ଉପରେ ଗୁରୁତ୍ୱାରୋପ
ଭୁବନ, ୨୯ ଜୁଲାଇ(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନ ପଂଚାୟତ ସମିତିର ଦଶମ ସାଧାରଣ ଅଧିବେଶନ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିନିଧି ଭାବେ ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ମୁଖ୍ୟ ଅତିଥି, କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ବାଚିତ ପ୍ରତିନିଧିମାନଙ୍କ ସହମତିରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବ ବିବରଣୀ ପାଠ କରାଯାଇ ଏହାକୁ ସର୍ବ ସମ୍ମତ କ୍ରମେ ଦୃଢ଼ୀକରଣ କରାଯାଇଥିଲା। ଆଜିର ବୈଠକରେ ଏକ ନୂତନ ସଭାଗୃହ ନିର୍ମାଣ, ଯମୁନାକୋଟ ବିଦ୍ୟାଳୟକୁ ପାନୀୟ ଜଳ ଯୋଗାଣ, ଦିଘୀ ପଂଚାୟତରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବା ସହିତ ଆଲୋକୀକରଣ, ଅଙ୍ଗନୱାଡି କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ, ପ୍ରତ୍ୟେକ ପଂଚାୟତରେ ଜଳ ଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ କରାଯିବାକୁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିବା ଓ ସର୍ଭେରେ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସଠିକ୍ ତଥାଯୋଗ୍ୟ ହିତାଧିକାରୀ ଚୟନ କରି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଂଟନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ, ଜିଲ୍ଲା ପରିଷଦ ସଭ୍ୟ ଶିଲାରାଣୀ ସାହୁ, ରମେଶ ଚନ୍ଦ୍ର ସାହୁ, ସୁବାସ ମାଝୀଙ୍କ ସମେତ ସମସ୍ତ ସରପଂଚ, ସମିତିସଭ୍ୟ ଯୋଗ ଦେଇଥିଲେ। ବିଡ଼ିଓ ଶ୍ରୀମତୀ ଆୟୁଶୀ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର ବେହେରାଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ