
ଭୁବନେଶ୍ୱର , ୨୯ ଜୁଲାଇ (ହି.ସ.) - ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ୩ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ଠାରୁ ପ୍ରଭାବିତ ଅଂଚଳରେ ପରିସ୍ଥିତି ପଚାରି ବୁଝିବା ସହ ସହାୟତା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜନ ସାଧାରଣଙ୍କୁ ଭୟଭୀତ ନ ହୋଇ ସତର୍କ ରୁହିବାକୁ ଏବଂ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ସ୍ଥିତି ଉପରେ ନିରନ୍ତର ନଜର ରଖିଛି। ଆମର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସହ ଆଲୋଚନା କରି ପ୍ରଭାବିତ ଅଂଚଳରେ ପରିସ୍ଥିତି ପଚାରି ବୁଝିବା ସହ ସହାୟତା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ରହି ପ୍ରତ୍ୟେକଟି ବିପନ୍ନ ପରିବାର ପାଖରେ ସହାୟତା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି।
ଆପଣମାନଙ୍କ ସୁରକ୍ଷା ଓ ସେବା ପାଇଁ ସରକାର ସଦା ସର୍ବଦା ଆପଣଙ୍କ ସହ ଅଛନ୍ତି। ଭୟଭୀତ ନ ହୋଇ ସତର୍କ ରୁହନ୍ତୁ ଏବଂ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା