ନିମ୍ନମାନର କାମ ଯୋଗୁଁ ନିର୍ମାଣାଧୀନ କାନପୁର କେନାଲରେ ଘାଇ : ୮ଜଣ ଚାଷୀଙ୍କ ସ୍ୱପ୍ନ ମାଟିରେ ମିଶିଲା
ଚମ୍ପୁଆ, ୨୯ ଜୁଲାଇ(ହି.ସ.) – ଚମ୍ପୁଆ ବ୍ଲକ ଅନ୍ତର୍ଗତ ବାରିଆ ଥାନା ଉଚ୍ଚବାଲି ଗ୍ରାମପଂଚାୟତର ରେଙ୍ଗାଳଗୋଡ଼ା ଗ୍ରାମରେ ନିର୍ମାଣାଧୀନ କାନପୁର କେନାଲର ନିମ୍ନମାନର କାର୍ଯ୍ୟ ଯୋଗୁଁ ବଡ଼ଧରଣର ଅଘଟଣ ଘଟିଛି। ଗତ ୨୭ ଏବଂ ୨୮ ତାରିଖରେ ହୋଇଥିବା ବର୍ଷା ଯୋଗୁଁ କେନାଲରେ ଘାଇ ସୃଷ୍ଟି ହୋଇ ବାଲି ପୋତି ହୋଇଯି
ନିମ୍ନମାନର କାମ ଯୋଗୁଁ ନିର୍ମାଣାଧୀନ କାନପୁର କେନାଲରେ ଘାଇ : ୮ଜଣ ଚାଷୀଙ୍କ ସ୍ୱପ୍ନ ମାଟିରେ ମିଶିଲା


ଚମ୍ପୁଆ, ୨୯ ଜୁଲାଇ(ହି.ସ.) – ଚମ୍ପୁଆ ବ୍ଲକ ଅନ୍ତର୍ଗତ ବାରିଆ ଥାନା ଉଚ୍ଚବାଲି ଗ୍ରାମପଂଚାୟତର ରେଙ୍ଗାଳଗୋଡ଼ା ଗ୍ରାମରେ ନିର୍ମାଣାଧୀନ କାନପୁର କେନାଲର ନିମ୍ନମାନର କାର୍ଯ୍ୟ ଯୋଗୁଁ ବଡ଼ଧରଣର ଅଘଟଣ ଘଟିଛି। ଗତ ୨୭ ଏବଂ ୨୮ ତାରିଖରେ ହୋଇଥିବା ବର୍ଷା ଯୋଗୁଁ କେନାଲରେ ଘାଇ ସୃଷ୍ଟି ହୋଇ ବାଲି ପୋତି ହୋଇଯିବାରୁ ଅଂଚଳର ଗରିବ ଚାଷୀମାନଙ୍କ ସ୍ୱପ୍ନ ମାଟିରେ ମିଶିଯାଇଛି। ଚାଷୀମାନେ ବେଶ୍ କଷ୍ଟକରି ଜମିରେ ଧାନ ରୋଇ ସାରିଥିଲେ। ଧାନ ଗଛଗୁଡ଼ିକରେ ନୂତନ ପିଲ ମଧ୍ୟ ବାହାରି ସବୁଜିମା ଖେଳାଇ ଦେଇଥିଲା। ମାତ୍ର କେନାଲର ଅସିଦ୍ଧ ଓ ଖାମଖିଆଲି କାମ ଯୋଗୁଁ ଘାଇ ସୃଷ୍ଟି ହୋଇ ବାଲି ଓ ପଙ୍କ ମାଡ଼ିଯିବାରୁ ଏହି ଗରିବ ଚାଷୀଙ୍କ ସମସ୍ତ ଜମି ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ହେଲେ ଅଭିମନ୍ୟୁ ମହାନ୍ତ, ଗୋକୁଳ ମହାନ୍ତ, ହରେକୃଷ୍ଣ ମହାନ୍ତ, ସନ୍ତୋଷ କୁମାର ମହାନ୍ତ, କିଶୋର ଚନ୍ଦ୍ର ମହାନ୍ତ, ନବକିଶୋର ମହାନ୍ତ, ଯୋଗେନ୍ଦ୍ର ମହାନ୍ତ ଓ ଲିଟୁ ମହାନ୍ତ। ଗ୍ରାମବାସୀ ଏବଂ ଚାଷୀମାନଙ୍କ କହିବା କଥା ଯେ, କାନପୁର କେନାଲର କାମ ସମ୍ପୂର୍ଣ୍ଣ ମଧ୍ୟ ହୋଇନଥିବା ଅବସ୍ଥାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପ୍ରକୃତରେ କାନପୁର ନଦୀବନ୍ଧର ମୁଖ୍ୟ ପାଣି ଛଡ଼ାଯାଇଥାନ୍ତା, ତେବେ ସମଗ୍ର ଅଂଚଳ କ୍ଷତିଗ୍ରସ୍ତ ହୋଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। ଏହା କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବରଂ ଦାୟିତ୍ୱହୀନ ଅଧିକାରୀ ଓ ଠିକାଦାରଙ୍କ ଦୁର୍ନୀତିର ଜ୍ୱଳନ୍ତ ପ୍ରମାଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମୁଣ୍ଡରେ ହାତଦେଇ ବସିଥିବା ଏହି ଚାଷୀମାନେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ସରକାର ଏବଂ ଜିଲ୍ଲା ପ୍ରଶାସନ ଏକ ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ପଠାଇ ଚାଷୀଙ୍କ ଦୁଃଖ ବୁଝନ୍ତୁ ଏବଂ ଏହି ନିମ୍ନମାନର କାମ ପାଇଁ ଦାୟୀ ଥିବା ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ଜୋର ଧରିଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande