
ଝାରସୁଗୁଡ଼ା, ୨୯: ଜୁଲାଇ (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁଷ୍ଟିସାଧନ ପୁନରୁଦ୍ଧାର କେନ୍ଦ୍ର ବା କୁ ପରିଦର୍ଶନ କରି ସେଠାରେ ଉପଲବ୍ଧ ଚିକିତ୍ସା ଓ ସେବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ ବରିଷ୍ଠ ଚିକିତ୍ସାଧିକାରୀ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଏନ୍.ଆର୍.ସି. କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଅତି ଗୁରୁତର ଅପପୁଷ୍ଟିର ଶିକାର ଏବଂ ମଧ୍ୟମ ଧରଣର ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ବଶେଷ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ଯୋଗାଣ ଏବଂ କେନ୍ଦ୍ରର ସାମଗ୍ରିକ ପରିଚାଳନା ବ୍ୟବସ୍ଥାର ସେ ଅନୁଧ୍ୟାନ କରିଥିଲେ।
ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବା ପାଇଁ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ନିଶ୍ଚିତ କରିବା ସହ ସେମାନଙ୍କ ମା’ମାନଙ୍କୁ ଶିଶୁ ଯତ୍ନ ଓ ପୁଷ୍ଟିକର ଆହାର ସମ୍ପର୍କରେ ସଚେତନ କରିବାକୁ ଜିଲ୍ଲାପାଳ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କେନ୍ଦ୍ରର ପରିଚ୍ଛନ୍ନତା ଓ ଶିଶୁମାନଙ୍କ ସୁରକ୍ଷା ପ୍ରତି ସଦାସର୍ବଦା ଯତ୍ନବାନ୍ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ