

ମାଲକାନଗିରି , ୨୯ ଜୁଲାଇ (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ଏସ୍.ଏସ୍.ଡି. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ତା ଧର୍ମରାଜୁଙ୍କ ବିରୋଧରେ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏକାଧିକ ସଙ୍ଗୀନ ଅଭିଯୋଗ ଆଣି ମାଲକାନଗିରି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଫେରାଦ କରିଛନ୍ତି। ଅଭିଯୋଗପତ୍ରରେ ପ୍ରଧାନ ଶିକ୍ଷକଙ୍କ ବ୍ୟବହାର, ବିଦ୍ୟାଳୟ ପରିଚାଳନା ଓ ଛାତ୍ରଛାତ୍ରୀଙ୍କ କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି।
ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିସରରେ ରହି ବିଳମ୍ବିତ ରାତିରେ ଅଶ୍ଳୀଳ ଭିଡିଓ ଦେଖୁଥିବା କୁହାଯାଇଛି। ତାଙ୍କ ମୋବାଇଲର ଇ-ମେଲ୍ ଆଇଡି ଛାତ୍ରୀ ହଷ୍ଟେଲରେ ଥିବା ଟିଭି ସହ ସଂଯୁକ୍ତ ଥିବାରୁ ସେହି ୱେବସାଇଟର ହିଷ୍ଟ୍ରି ଟିଭିରେ ପ୍ରଦର୍ଶିତ ହେଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ଛାତ୍ରୀମାନଙ୍କ ସୁରକ୍ଷା ଓ ମାନସିକ ପରିବେଶ ପ୍ରତି ଗୁରୁତର ପ୍ରଭାବ ପକାଇଥିବା ବୋଲି ଶିକ୍ଷକମାନେ ଅଭିଯୋଗ କରିଛନ୍ତି।
ଏହାଛଡ଼ା, ହଷ୍ଟେଲ ପରିଚାଳନାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସହକାରୀ ଶିକ୍ଷକମାନଙ୍କୁ କେବଳ ନାମକୁ ହଷ୍ଟେଲ ପରିଚାଳକ ଦାୟିତ୍ୱ ଦିଆଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ପ୍ରଧାନ ଶିକ୍ଷକ ନିଜେ କ୍ରୟ କରୁଥିବା ଏବଂ ସହ-ପରିଚାଳକଙ୍କ ଉପରେ ଅଗ୍ରିମ ଅର୍ଥ ଉଠାଣ ଓ ପରିଶୋଧ ପାଇଁ ଚାପ ପକାଉଥିବା ଅଭିଯୋଗ କରାଯାଇଛି।
ଅଭିଯୋଗପତ୍ରରେ ଆହୁରି ଉଲ୍ଲେଖ ରହିଛି ଯେ, ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା ସରକାରୀ ଅର୍ଥକୁ ଗତ ତିନି ବର୍ଷ ଧରି ବିନିଯୋଗ କରାଯାଇନାହିଁ। ଏନେଇ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ତାହାକୁ ଗ୍ରହଣ ନକରି ଚିରି ଫିଙ୍ଗି ଦେଉଥିବା ଅଭିଯୋଗ କରାଯାଇଛି।
ଶନିବାର ଓ ରବିବାର ଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ରହୁନଥିବା ଏବଂ ଏହାର ପ୍ରମାଣ ଅର୍ଡର ବୁକ୍ରୁ ମିଳିପାରିବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେହିପରି ଜଣେ ଶିକ୍ଷୟିତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ବାରମ୍ବାର କଥା ହେବାକୁ ଚାପ ପକାଉଥିବା ଅଭିଯୋଗ ମଧ୍ୟ କରାଯାଇଛି।ଦିନେ ସେହି ଶିକ୍ଷୟତ୍ରୀଙ୍କ ଓଢଣୀକୁ ଟାଣୁ ଥିଲେ ବୋଲି ଅଭିଯୋଗ କରିଛନ୍ତି |
ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ଦ୍ୱାରା ଜାଳେଣି କାଠ ସଂଗ୍ରହ କରାଯାଉଥିବା ଭଳି ଘଟଣା ମଧ୍ୟ ଦେଖାଯାଇଥିବା ବୋଲି ଶିକ୍ଷକମାନେ କହିଛନ୍ତି । ପ୍ରଧାନ ଶିକ୍ଷକଙ୍କ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ବିଦ୍ୟାଳୟରେ ଭୟ ଓ ମାନସିକ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥିବାରୁ ତାଙ୍କ ଅଧୀନରେ କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଛି ବୋଲି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ