ସରବାହାଲ ରେଳ କ୍ରସିଂ ରାସ୍ତା ବେହାଲ; ଦୁର୍ଘଟଣା ଆଶଙ୍କା ବଢ଼ିଲା, ତୁରନ୍ତ ମରାମତି ପାଇଁ ଜନଦାବି
Demand to construction of railway crossing
Railway crossing


ଝାରସୁଗୁଡ଼ା, 29 ଜୁଲାଇ (ହି.ସ.) ଝାରସୁଗୁଡ଼ା ସହରର ଅତ୍ୟନ୍ତ ବ୍ୟସ୍ତବହୁଳ ସରବାହାଲ ରେଳ କ୍ରସିଂ ନିକଟସ୍ଥ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମା ଏବଂ ବର୍ଷା ପାଣି ଜମି ରହୁଥିବାରୁ ପ୍ରତିଦିନ ହଜାର ହଜାର ଯାତ୍ରୀ, ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ରେଳବାଇ କର୍ତ୍ତୃପକ୍ଷ ଓ ପ୍ରଶାସନଙ୍କ ନିକଟରେ ତୁରନ୍ତ ସ୍ଥାୟୀ ମରାମତି ପାଇଁ ଦାବି ଜଣାଇଛନ୍ତି।

ସୂଚନା ଅନୁଯାୟୀ, ରେଳ କ୍ରସିଂ ନିକଟରେ ରାସ୍ତାର ବିଭିନ୍ନ ସ୍ଥାନରେ ଗଭୀର ଖାଲ ସୃଷ୍ଟି ହୋଇଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ସେଥିରେ ପାଣି ଜମି ରହୁଥିବାରୁ ରାସ୍ତାର ପ୍ରକୃତ ଅବସ୍ଥା ଜଣାପଡ଼ୁ ନାହିଁ। ଫଳରେ ବାଇକ୍, ଅଟୋ ଓ ଅନ୍ୟାନ୍ୟ ଯାନବାହନ ସହ ପଥଚାରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେବାର ଆଶଙ୍କା ବଢ଼ିଛି। ଏହା ସହିତ ପାଣି ଜମି ରହିବା ଯୋଗୁଁ ପ୍ରାୟ ପ୍ରତିଦିନ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଉଛି।

ଏହି ସମସ୍ୟାକୁ ନେଇ ସହରର ବିଶ୍ୱାମିତ୍ର ଭଇଂସା, ସୁନୀଲ ଗାଇଗରିଆ, ମଦନ ସାହୁଙ୍କ ସମେତ ଅନେକ ସ୍ଥାନୀୟ ବୁଦ୍ଧିଜୀବୀ ଓ ନାଗରିକ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ରେଳବାଇ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ଝାରସୁଗୁଡ଼ା ରେଳ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ରେଳବାଇ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାର ଶୀଘ୍ର ସମାଧାନ କରିବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande