ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ
Director visit odisha Adarsh Vidyalaya
Odisha Adarsh Vidyalaya


ଝାରସୁଗୁଡ଼ା , 29 ଜୁଲାଇ (ହି.ସ.) -ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକ ଡ. ବୃନ୍ଦା ଡି, ଆଜି ଝାରସୁଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଟାପାଲି ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସେ ବିଦ୍ୟାଳୟର ଶିକ୍ଷାଦାନ, ଭିତ୍ତିଭୂମି, ସ୍ୱାସ୍ଥ୍ୟ, ପରିଚ୍ଛନ୍ନତା ଏବଂ ଛାତ୍ରଛାତ୍ରୀଙ୍କ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ସୁବିଧାର ସୂକ୍ଷ୍ମ ଅନୁଧ୍ୟାନ କରିବା ସହ ବିଦ୍ୟାଳୟର ସମଗ୍ର ଶିକ୍ଷାଦାନ ପରିବେଶ ଏବଂ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ ଶ୍ରେଣୀଗୃହଗୁଡ଼ିକ ବୁଲି ଦେଖିବା ସହ ଶିକ୍ଷକମାନଙ୍କ ଦ୍ୱାରା ଆପଣାଯାଉଥିବା ଶିକ୍ଷାଦାନ-ଶିକ୍ଷଣ ପଦ୍ଧତିର ସମୀକ୍ଷା କରିଥିଲେ। ଏଥିସହିତ ବିଦ୍ୟାଳୟରେ ଥିବା ଝାରସୁଗୁଡ଼ା ଏଣ୍ଟରପ୍ରେନରସିପ୍ ମେକର୍ସ ସ୍ପେସ ଲାବ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ନୂତନ ଚିନ୍ତାଧାରା, ଉଦ୍ୟୋଗୀ ମନୋଭାବ ଏବଂ ବ୍ୟାବହାରିକ ଶିକ୍ଷାର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ।ଛାତ୍ରଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ୍ ଏବଂ କାର୍ଯ୍ୟଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ବିଦ୍ୟାଳୟର ବିଜ୍ଞାନଗାର ଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହା ବ୍ୟତୀତ ବିଦ୍ୟାଳୟର ଶୌଚାଳୟ, ସ୍ୱଚ୍ଛତା ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଅନୁଧ୍ୟାନ କରିଥିଲେ।ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବାକୁ ମିଶନ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ। ପ୍ରତିନିଧି ଦଳ ବିଦ୍ୟାଳୟର ରୋଷେଇ ଘର ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିଚାଳନା ବ୍ୟବସ୍ଥାର ତଦାରଖ କରିଥିଲେ। ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ସ୍ଥାନର ପରିଷ୍କାର-ପରିଚ୍ଛନ୍ନତା, ସ୍ୱାସ୍ଥ୍ୟକର ପରିବେଶ ଏବଂ ଉତ୍ତମ ପରିଚାଳନା ପାଇଁ ସଂପୃକ୍ତ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଥିଲା। ଏହି ପରିଦର୍ଶନ ବିଦ୍ୟାଳୟର ଶୈକ୍ଷିକ ବାତାବରଣ, ଭିତ୍ତିଭୂମି, ସ୍ୱଚ୍ଛତା, ଗବେଷଣାଗାର ଏବଂ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପର ଅନୁଧ୍ୟାନ କରିବାରେ ସହାୟକ ହୋଇଥିଲା। ଏକ ସୁରକ୍ଷିତ, ସ୍ୱାସ୍ଥ୍ୟକର ଏବଂ ଗୁଣାତ୍ମକ ଶିକ୍ଷା ପରିବେଶ ସୃଷ୍ଟି କରିବା ଉପରେ ଏହି ଗସ୍ତରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ଏଥିସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗୁଣାତ୍ମକ ଶିକ୍ଷା ପ୍ରଦାନ, ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କରାଯାଇଥିବା ପ୍ରଶଂସନୀୟ ଉଦ୍ୟମକୁ ମିଶନ ନିର୍ଦ୍ଦେଶକ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande