
ଝାରସୁଗୁଡ଼ା, 29 ଜୁଲାଇ (ହି.ସ.) ଲଇକେରା ଥାନା ଅଧିନସ୍ଥ ରେଙ୍ଗାଲବେଡ଼ା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡ ବିଦ୍ୟୁତ୍ ଖୁମ୍ବକୁ ଧକ୍କା ଦେବା ସହ ଓଲଟି ପଡ଼ିଥିଲା l ଫଳରେ ଡ୍ରାଇଭର ଗୁରୁତର ଆହତ ହେବା ସହ ବିଦ୍ୟୁତ୍ ଖୁମ୍ବ ଭାଙ୍ଗିଯାଇ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି l ଦୁର୍ଘଟଣା ପରେ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଫେରୁଥିବା ଲଇକେରା ଗୋଷ୍ଠୀ ଶିକ୍ଷାଧିକାରୀ ହିମାଂଶୁ ବାଗ ସ୍ଥାନୀୟ ଲୋକଙ୍କ ସହଯୋଗରେ ଓଲଟି ପଡ଼ିଥିବା ଟ୍ରାକ୍ଟରକୁ ଉଠାଇ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଟ୍ରାକ୍ଟରରେ ଥିବା ଅନ୍ୟ ଜଣେ ଯୁବକ ଦୁର୍ଘଟଣା ପୂର୍ବରୁ ତଳକୁ ଡେଇଁ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଲିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ଡ୍ରାଇଭରଙ୍କୁ ପ୍ରଥମେ ମୁନ୍ଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ଲଇକେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର କୁ ଜବତ୍ କରି ଦୁର୍ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ