ଭେଡେନ ନଦୀରେ ବନ୍ୟା ଉଫାନ: ଭାଗିପାଲି ପୋଲ ଉପରେ ଆଣ୍ଠୁଏ ପାଣି, ଅନେକ ଗ୍ରାମର ଯୋଗାଯୋଗ ବିଚ୍ଛିନ୍ନ ହେବା ଆଶଙ୍କା
Flood in Bhden river : communication cut of
Flood water


ଝାରସୁଗୁଡ଼ା, 29 ଜୁଲାଇ (ହି.ସ.) - ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଭେଡେନ ନଦୀରେ ଜଳସ୍ତର ଦ୍ରୁତ ଗତିରେ ବଢ଼ିବାରୁ ଭାଗିପାଲି ଠାରେ ଥିବା ପୋଲ ଉପରେ ବୁଧବାର ସକାଳୁ ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଏହି ପୋଲ ଦେଇ ସମସ୍ତ ପ୍ରକାର ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି।

ଭାଗିପାଲି ପୋଲ ଉପରେ ବନ୍ୟା ପାଣି ଚାଲୁଥିବାରୁ କାତିକେଲା, ଭୁର୍କାମୁଣ୍ଡା, ଭାଗିପାଲି ସମେତ ପାଖାପାଖି ଅନେକ ଗ୍ରାମର ସଡ଼କ ସଂଯୋଗ ପ୍ରଭାବିତ ହୋଇଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ହଜାର ହଜାର ଲୋକ ଦୈନନ୍ଦିନ କାର୍ଯ୍ୟ, ଶିକ୍ଷା ଓ ଜରୁରୀ ସେବା ପାଇଁ ଝାରସୁଗୁଡ଼ା ସହରକୁ ଯାତାୟାତ କରୁଥିବାରୁ ହଠାତ୍ ଯୋଗାଯୋଗ ବନ୍ଦ ହେବା ସେମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ବିଶେଷକରି ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପଢ଼ିବା ପାଇଁ ପ୍ରତିଦିନ ଝାରସୁଗୁଡ଼ା ସହରକୁ ଆସୁଥିବା ଛାତ୍ରଛାତ୍ରୀମାନେ ରାସ୍ତାରେ ଅଟକି ଯାଇଛନ୍ତି। ସେହିପରି ଦୈନନ୍ଦିନ ଶ୍ରମିକ, ଚାକିରିଆ, ବ୍ୟବସାୟୀ ଓ ଜରୁରୀକାଳୀନ ଚିକିତ୍ସା ପାଇଁ ସହରକୁ ଆସୁଥିବା ରୋଗୀମାନେ ମଧ୍ୟ ଯାତାୟାତ ବନ୍ଦ ହେବାରୁ ଅସୁବିଧାରେ ପଡ଼ିଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଶାସନକୁ ପରିସ୍ଥିତି ଉପରେ ନଜର ରଖିବା ସହ ବିପଦପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ବୁଧବାର ରାତିରେ ବର୍ଷା ଜାରି ରହିଲେ ଭେଡେନ ନଦୀର ଜଳସ୍ତର ଆହୁରି ବଢ଼ିବା ସମ୍ଭାବନା ରହିଛି। ଏପରି ସ୍ଥିତିରେ ଗୁରୁବାର ସୁଦ୍ଧା କାତିକେଲା, ଭୁର୍କାମୁଣ୍ଡା, ଭାଗିପାଲି ସମେତ ଆଖପାଖର ଅନେକ ଗ୍ରାମ ଝାରସୁଗୁଡ଼ା ସହରଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଉଥିବା ବେଳେ ଲୋକମାନଙ୍କୁ ବନ୍ୟା ପାଣି ଥିବା ପୋଲ କିମ୍ବା ରାସ୍ତା ଅତିକ୍ରମ ନ କରିବାକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande