
ଝାରସୁଗଡ଼ା, ୨୯ ଜୁଲାଇ (ହି.ସ.) ବେଲପାହାଡ଼ର ପୂର୍ବତନ ସୁପ୍ରସିଦ୍ଧ ଫୁଟବଲ୍ ଖେଳାଳି ଗଣେଶ ଭୋଇଙ୍କ ପରଲୋକ ଘଟିଛି। ଗତକାଲି ମଙ୍ଗଳବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ଟିଆରଏଲ କ୍ରୋସାକି ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ସନ୍ଧ୍ୟାରେ ପୁଣି ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ପୁଣି ଟିଆରଏଲ କ୍ରୋସାକି ଡାକ୍ତରଖାନାକୁ ନେଇଥିବା ବେଳେ ତାଙ୍କ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ଅନ୍ୟସ୍ଥାନକୁ ନେବାକୁ ପରାମର୍ଶ ଦେଇଥିଲେ। ପରେ ତାଙ୍କୁ ସମ୍ବଲପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ତେବେ ଆଜି ବୁଧବାର ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗଣେଶଙ୍କ ପରଲୋକ ଘଟିଛି। ସ୍ୱର୍ଗତ ଗଣେଶ ଜଣେ ସୁପ୍ରସିଦ୍ଧ ଫୁଟବଲ୍ ଖେଳାଳି ଭାବେ ପରିଚିତ ଥିବାବେଳେ ରାଜ୍ୟ ତଥା ଜାତୀୟ ସ୍ତରର ଫୁଟବଲ୍ ଖେଳରେ ସେ ଅନେକ ଥର ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ। ଏଥିସହ ବେଲପାହାଡ଼ସ୍ଥିତ ଟିଆରଏଲ କ୍ରୋସାକି କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ଥିବା ସହିତ ବର୍ଷିୟାନ୍ ନାଗରିକ ସଂଘ, ମିରର ଥିଏଟ,ର୍ ଅମର ଜ୍ୟୋତି କ୍ଲବ, ଗୁମାଡେରା ସାର୍ବଜନୀନ ଦୁର୍ଗା ପୂଜା କମିଟି, ବୃକ୍ଷର ବନ୍ଧୁ ଆଦି ସଂଗଠନର ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ଘଟିଛି। ଆଜି ତାଙ୍କ ପାର୍ôଥବ ଶରୀର ଘରକୁ ପହଂଚିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା। ସଂଗଠନ ଗୁଡ଼ିକ ପକ୍ଷରୁ ତାଙ୍କର ଆମର ଆତ୍ମାର ଶାନ୍ତି ଓ ସଦଗତି ନିମନ୍ତେ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛିି। ଲିମଟିକ୍ରା ନିକଟସ୍ଥ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ପୁରୁଷୋତମ ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ