
ଘରଧରା ଗ୍ରାମରେ ୭ ପରିବାରର ୩୭ ଜଣ ଜଳବନ୍ଦୀ, ଉଦ୍ଧାର ପାଇଁ ପ୍ରଶାସନ ସଜାଗ
ନୂଆପଡ଼ା,୨୯ ଜୁଲାଇ (ହି.ସ.) - ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଘରଧରା ଗ୍ରାମର ଉପରପଡ଼ାରେ ୭ଟି ପରିବାରର ୩୭ ଜଣ ସଦସ୍ୟ ଜଳବନ୍ଦୀ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ଦିବ୍ୟାଙ୍ଗ ଥିବାରୁ ପରିସ୍ଥିତି ଅଧିକ ଗୁରୁତର ହୋଇପଡ଼ିଛି। ଖବର ପାଇ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ଅତିରିକ୍ତ ତହସିଲଦାର, ରାଜସ୍ୱ ସୁପରଭାଇଜରଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ଜଳବନ୍ଦୀ ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଦମକଳ ବାହିନୀକୁ ନିୟୋଜିତ କରାଯାଇଛି। ଦମକଳ ବାହିନୀ ବୋଟ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବୋଟ ମାଧ୍ୟମରେ ଜଳବନ୍ଦୀ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ