
ଝାରସୁଗୁଡ଼ା, ୨୯ ଜୁଲାଇ (ହି.ସ.) କିର୍ମିରାରେ ସର୍ବାଧିକ ୯୮.୨ ମି.ମି. ବର୍ଷା, ନଦୀ-ନାଳର ଜଳସ୍ତର ବୃଦ୍ଧି ଆଶଙ୍କା; ପ୍ରଶାସନର ସତର୍କ ନଜର
ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଆଂଶିକ ଭାବେ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟରେ ପାଣି ଜମିଥିବା ବେଳେ ନଦୀ, ନାଳ ଓ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର (ଡିଇଓସି) ପକ୍ଷରୁ ବୁଧବାର ପ୍ରକାଶିତ ବର୍ଷାପାତ ରିପୋର୍ଟ ଅନୁଯାୟୀ, ୨୯ ଜୁଲାଇ ସକାଳ ସୁଦ୍ଧା ଶେଷ ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ ୩୫୨.୫ ମିଲିମିଟର ବର୍ଷାପାତ ରେକର୍ଡ କରାଯାଇଛି। ଜିଲ୍ଲାର ହାରାହାରି ବୃଷ୍ଟିପାତ ୭୦.୫ ମିଲିମିଟର ରହିଛି, ଯାହା ସକ୍ରିୟ ମୌସୁମୀ ବର୍ଷାର ସୂଚନା ଦେଉଛି।
ବ୍ଲକୱାରି ବର୍ଷାପାତ ତଥ୍ୟ ଅନୁସାରେ କିର୍ମିରା ବ୍ଲକରେ ସର୍ବାଧିକ ୯୮.୨ ମିଲିମିଟର ବର୍ଷା ହୋଇଛି। ଏହା ପଛକୁ ଲାଇକେରାରେ ୭୫.୧ ମି.ମି., କୋଲାବିରାରେ ୭୩.୪ ମି.ମି., ଲଖନପୁରରେ ୫୮.୮ ମି.ମି. ଏବଂ ଝାରସୁଗୁଡ଼ା ସଦର ବ୍ଲକରେ ୪୭.୦ ମି.ମି. ବର୍ଷାପାତ ରେକର୍ଡ କରାଯାଇଛି।
ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ଜଳ ଜମିବା ସହ ଛୋଟ ନଦୀ ଓ ନାଳଗୁଡ଼ିକର ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ପ୍ରଶାସନ ସମସ୍ତ ବ୍ଲକ ପ୍ରଶାସନ ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି। ସମ୍ଭାବ୍ୟ ବନ୍ୟା କିମ୍ବା ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିମ୍ନାଞ୍ଚଳର ଅବସ୍ଥା ଉପରେ ନିରନ୍ତର ନଜରଦାରି କରାଯାଉଛି।
ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ଅନାବଶ୍ୟକ ଭାବେ ଜଳମଗ୍ନ ରାସ୍ତା, ନଦୀ ଓ ନାଳ ଅତିକ୍ରମ ନ କରିବାକୁ ଏବଂ ପିଲାମାନଙ୍କୁ ଜଳାଶୟ ନିକଟକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ବର୍ଷାର ପରିସ୍ଥିତିକୁ ଦେଖି ଚାଷୀମାନେ ମଧ୍ୟ ଚାଷଜମିରେ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ କୃଷି ବିଭାଗ ପରାମର୍ଶ ଦେଇଛି।
ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ଯାଏଁ ଜିଲ୍ଲାରେ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସତର୍କ ରହିବା ସହ ସରକାରୀ ସୂଚନାକୁ ଅନୁସରଣ କରିବାକୁ ଅନୁରୋଧ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ