
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆଜି ଅନ୍ତର୍ଜାତୀୟ ବାଘ ଦିବସ–୨୦୨୬ ଅବସରରେ ବିଭିନ୍ନ ସଚେତନତା, ଶିକ୍ଷାମୂଳକ ଓ ସଂରକ୍ଷଣଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଘ ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ବନ୍ୟଜନ୍ତୁ ସୁରକ୍ଷାରେ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ, ଅନ୍ତର୍ଜାତୀୟ ବାଘ ଦିବସ ବାଘ ଓ ଏହାର ବାସସ୍ଥଳୀର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ଏବଂ ସାମୂହିକ ପ୍ରୟାସକୁ ସୁଦୃଢ଼ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମଂଚ। ଶିକ୍ଷା, ସମ୍ପ୍ରଦାୟର ସହଭାଗିତା ଏବଂ ସଂରକ୍ଷଣମୂଳକ ପଦକ୍ଷେପ ମାଧ୍ୟମରେ ନନ୍ଦନକାନନ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ବାର୍ତାକୁ ସଫଳତାର ସହ ପ୍ରସାର କରିଆସୁଛି।
କାର୍ଯ୍ୟକ୍ରମର ଅଂଶସ୍ୱରୂପ ସ୍ୱାକ୍ଷର ଅଭିଯାନ ଏବଂ ବାଘ ସଂରକ୍ଷଣ ଶପଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ପରିଦର୍ଶକମାନଙ୍କୁ ଭାରତର ଜାତୀୟ ପଶୁ ବାଘ ଓ ଏହାର ବାସସ୍ଥଳୀର ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରିବାକୁ ଆହ୍ୱାନ କରାଯାଇଥିଲା। ସେହିପରି୧ ପ୍ରଶ୍ନ–୧ ଉତର–୧ ପୁରସ୍କାର ମୋବାଇଲ ସଚେତନତା ଅଭିଯାନର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ବାଘ ସଂରକ୍ଷଣ ସମ୍ପର୍କିତ ପ୍ରଶ୍ନୋତର ଓ ପୁରସ୍କାର ବ୍ୟବସ୍ଥା ଜରିଆରେ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି।
ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ନନ୍ଦନକାନନର ବାଘ ପରିଚର୍ଯ୍ୟାକାରୀ (ଟାଇଗର କିପର୍ସ)ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ଆୟୋଜିତ ସିଟ୍ ଆଣ୍ଡ ଡ୍ର' ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଦିବସବ୍ୟାପୀ କାର୍ଯ୍ୟକ୍ରମରେ ବାଘର ପରିଚର୍ଯ୍ୟା ଓ ସଂରକ୍ଷଣ ଉପରେ କିପର୍ସ ଟକ୍, ଶିଶୁମାନଙ୍କ ପାଇଁ କାହାଣୀ କହିବା କାର୍ଯ୍ୟକ୍ରମ, ମିନି ଜୁ କିପର୍ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବାଘର ଜୀବବିଜ୍ଞାନ, ଆଚରଣ ଓ ସଂରକ୍ଷଣ ସମ୍ପର୍କରେ ବ୍ୟବହାରିକ ଶିକ୍ଷା ପ୍ରଦାନ କରାଯାଇଥିଲା। ଏଥିସହ ବାଘ ସଂରକ୍ଷଣ ଉପରେ ବିଶେଷଜ୍ଞଙ୍କ ବକ୍ତବ୍ୟ ଏବଂ ଜୁ' ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିବେଷିତ ନୁକ୍କଡ଼ ନାଟକ ପରିଦର୍ଶକମାନଙ୍କ ମଧ୍ୟରେ ବାଘ ସଂରକ୍ଷଣର ବାର୍ତା ପହଂଚାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ପ୍ରେମ କୁମାର ଝା, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ସନତ କୁମାର, ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେଙ୍କ ସମେତ ଛାତ୍ରଛାତ୍ରୀ, ବନ୍ୟଜନ୍ତୁପ୍ରେମୀ, ପରିଦର୍ଶକ ଏବଂ ସଂରକ୍ଷଣ କ୍ଷେତ୍ରର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା