
କେନ୍ଦ୍ରାପଡ଼ା, ୨୯ ଜୁଲାଇ(ହି.ସ.) – ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଭାରତୋଳନ ସଂଘର ମିଳିତ ସହଯୋଗରେ ଚଳିତ ମାସ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ଭାରତୋଳନ କେନ୍ଦ୍ର ଠାରେ ରାଜ୍ୟସ୍ତରୀୟ ୧୨ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ଭାରତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ମୋଟ ୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୨ ବର୍ଷରୁ କମ୍ ବାଳକ ବର୍ଗର ୬୦ କିଲୋଗ୍ରାମ ଓଜନ ବିଭାଗରେ ପଟ୍ଟାମୁଣ୍ଡାଇ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର କୃଷ୍ଣ ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରି ସିଲଭର ମେଡାଲ ହାସଲ କରିଥିବାବେଳେ, ୧୪ ବର୍ଷରୁ କମ୍ ବାଳିକା ବର୍ଗର ୫୫ କିଲୋଗ୍ରାମ ଓଜନ ବିଭାଗରେ କେନ୍ଦ୍ରାପଡ଼ା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଗଙ୍ଗୋତ୍ରୀ ରାଉତ ଦ୍ୱିତୀୟ ସ୍ଥାନ ଅଧିକାର କରି ସିଲଭର ମେଡାଲ ଜିତିଛନ୍ତି। ଉଭୟ ପ୍ରତିଯୋଗୀ ପ୍ରତିଯୋଗିତାର ମୁଖ୍ୟ ଅତିଥିମାନଙ୍କ ଠାରୁ ସିଲଭର ମେଡାଲ ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ। ସେମାନଙ୍କର ଏହି ସଫଳତା ପାଇଁ ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଓ ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପଛରେ କେନ୍ଦ୍ରାପଡ଼ା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭାରତୋଳନ ପ୍ରଶିକ୍ଷକା ସୂର୍ୟ୍ୟପ୍ରଭା ମହାନ୍ତି ଏବଂ ପଟ୍ଟାମୁଣ୍ଡାଇ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ପ୍ରଶିକ୍ଷକା ସ୍ୱାଗତିକା ବିଶ୍ୱାଳଙ୍କ ଉଲ୍ଲେଖନୀୟ ଅବଦାନ ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି