
ନୂଆପଡ଼ା,୨୯ ଜୁଲାଇ (ହି.ସ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ରେକର୍ଡ ପରିମାଣର ବର୍ଷାପାତ ଫଳରେ ଜିଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ସମେତ ଅନେକ ମୁଖ୍ୟ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହା ଫଳରେ ସାଧାରଣ ଜନଜୀବନ ଓ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ୬ଟି ଗେଟ୍ ଖୋଲାଯାଇଛି। ଜଳସ୍ତର ଲଗାତାର ବଢ଼ୁଥିବାରୁ ଆବଶ୍ୟକ ପଡ଼ିଲେ ଆହୁରି ୩ଟି ଗେଟ୍ ଖୋଲାଯିବାର ସମ୍ଭାବନା ଥିବା ସୂଚନା ବିଭାଗୀୟ ଅଧିକାରୀମାନେ ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଡ୍ୟାମ୍ ଅଞ୍ଚଳରେ ଅଧିକାରୀମାନେ ସତର୍କତାର ସହ ନିରୀକ୍ଷଣ କରୁଛନ୍ତି। ଅନ୍ୟପଟେ ପଲସଦା ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ବୋଡ଼େନ–ଖଡ଼ିଆଳ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ବନ୍ୟାଜଳ ଥିବା ରାସ୍ତା ଓ ପୋଲ ଅତିକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାସହ ନୂଆପଡ଼ା ଜିଲ୍ଲାର ଅନେକ ଗ୍ରାମ ଜଳବନ୍ଦୀ ଭିତରେ ରହିଥିବା ସୂଚନା ମିଳିଛି। ଅନେକ ଗଛପତ୍ର ଭାଙ୍ଗି ଯାଇଥିବା ବେଳେ ଅନେକ ଚାଷୀଙ୍କ ଚାଷ ଜମି ଜଳମଗ୍ନ ହୋଇଯାଇଛି। ଖଡ଼ିଆଳ ସହରର ସାହୁପଡ଼ା ରାସ୍ତାରେ ବର୍ଷାପାଣି ପ୍ରବାହିତ ହେଉଛି। ଅନେକ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଅନେକ ଲୋକଙ୍କ ମାଟି, କଚ୍ଚାଘର ଭୁଶୁଡି ପଡିଛି। ଏହାସହ ବିଦ୍ୟୁତ ସହରବରାହ ବ୍ୟାହତ ହୋଇଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖିଯାଇଥିବା ନେଇ ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ